କନକ ବ୍ୟୁରୋ: କୋଲକାତାର ଏକ ଗଳି, ସେଠିକାର ଏକ କୋଚିଙ୍ଗ ସେଣ୍ଟର । ୟାର ଏଣ୍ଟ୍ରି ଗେଟ୍  ପାଖରେ ଜଣେ ସିକ୍ୟୁରିଟି ଗାର୍ଡ । ପୋଷାକରେ ସିକ୍ୟୁରିଟି ଗାର୍ଡ । କିନ୍ତୁ ହାତରେ ପେପର ପ୍ୟାଡ୍ , ଆଉ ପେନ୍ । ଟିକେ ସମୟ ପାଇଲେ ହାତ ଚାଲେ, ଆଙ୍କି ହୋଇଯାଏ ବିଭିନ୍ନ ଚିତ୍ର ।  ସେ ଚିତ୍ର ଖାଲି ଚିତ୍ର ନୁହେଁ କଥା କୁହା ଛବି । ତା ଭିତରୁ ସତେ ଯମିତି ଚରିତ୍ର କଥା କୁହେ । ଆଉ ଏସବୁ ଛବି  ଆଙ୍କି ଦେଉଥିବା ମଣିଷଟେ ପଛରେ ବି ଅନେକ ଅଜଣା କଥା ।
 ସିକ୍ୟୁରିଟି ଗାର୍ଡ ଜଣକ ହେଉଛନ୍ତି ଅନୁପମ ମୁଖାର୍ଜୀ । କୋଲକାତାର କ୍ରିଏଟିଭ୍ କଣ୍ଟେଣ୍ଟ କ୍ରିଏଟର୍ ଆରାଧନା ଚାଟାର୍ଜୀ , ଅନେକ ସମୟରେ ତାଙ୍କୁ  ଚିତ୍ର ଆଙ୍କୁଥିବାର ଦେଖନ୍ତି   । ଦିନେ ତାଙ୍କ ପାଖକୁ ଯାଇ ଏ ଚିତ୍ର ଆଙ୍କିବା ପଛର ସତ ଖୋଜିଲେ   ।  ଅନୁପମଙ୍କୁ ପଚାରିଥିଲେ ତାଙ୍କ ମନର କଥା । ଧୀରେ ଧୀରେ ସବୁ ସତ କହିଥିଲେ ଅନୁପମ୍ । ଅନୁପମଙ୍କ ଭିଡିଓ ଆରାଧନା ନିଜ ଇନଷ୍ଟାରେ ପୋଷ୍ଟ କରିବା ପରେ ନେଟିଜେନ୍ସ ଏହାକୁ ଖୁବ୍ ପସନ୍ଦ କରିଥିଲେ ଏବଂ  ଅନୁପମ୍ ମୁଖାର୍ଜୀଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।

Advertisment

ଅନୁପମ୍ ପିଲା ଦିନରୁ କଳାପ୍ରେମୀ ।  ପ୍ରଥମେ କଳାକୁ ଭରସା କରିବାକୁ ଇଚ୍ଛା କରିଥିଲେ କିନ୍ତୁ  କଳାରେ ପେଟ ପୋଷିହେଲାନି । ପ୍ରତି ରକ୍ତ ଧମନୀରେ  , ରଙ୍ଗର ରକ୍ତ ବୋହୁଥିଲେ ବି ପେଟପାଟଣା ପାଇଁ  ଏହାକୁ ପଛକୁ ଦେଇ  ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କଲେ । କିନ୍ତୁ ମନରେ ପ୍ରତି ମୁହୂର୍ତ୍ତରେ ଉଙ୍କି ମାରୁଥିବା ଇଚ୍ଛା କିନ୍ତୁ କ’ଣ କେବେ  ଚାପି ହୋଇ ରହିପାରେ ? କାମ ସିନା ଜଗୁଆଳି ତାଙ୍କ ଭିତରର କଳାକାର କିନ୍ତୁ ସବୁବେଳେ ସୁଯୋଗ ଉଣ୍ଡୁଥାଏ ।  କାମରୁ ଟିକେ ଫୁର୍ସତ ମିଳିଗଲେ ନୋଟପ୍ୟାଡ୍ ପେନଟିଏ କି  ପେନସିଲଟି ଧରି ଗାରେଇ ପକାନ୍ତି । ତା ଭିତରୁ ବାହାରେ ଜୀବନ୍ତ ଛବି ।  ଆଖି ଲାଖିଯାଏ । 

ପରିବାରର ବୋଝ ଭିତରେ ବି ଜଣେ କଳାକାରକୁ ବଞ୍ଚାଇ ରଖିବାକୁ ଅନୁପମ୍ ଚଳାଇଛନ୍ତି ଚେଷ୍ଟା । ଦିନରେ ସିକ୍ୟୁରିଟି କାମ ଆଉ ଘରକୁ ଫେରିଲେ ପରିବାରର ଭଲମନ୍ଦ ବୁଝି  ପେଣ୍ଟିଂ ସାମଗ୍ରୀ ଧରି ବସିପଡ଼ନ୍ତି  । ପିଲାମାନଙ୍କୁ ବି ପେଣ୍ଟିଂ ଶିଖାନ୍ତି । ଏତିକିରେ ତାଙ୍କର ଆତ୍ମ ସନ୍ତୋଷ । ’ ଜଣେ କଳାକାର କେବେ ହାର୍ ମାନେନି’ ଏହି କ୍ୟାପ୍ସନ  ଲେଖି ଅନୁପମଙ୍କ ପ୍ରତିଟି ଛବିକୁ ଇନଷ୍ଟାରେ ଅପଲୋଡ କରୁଛନ୍ତି ଆରାଧନା । ଜୀବନ ଯେତେ କଷ୍ଟ ଦେଉ ଜଣେ କଳାକାରର କଳାକୁ କିନ୍ତୁ ମାରିପାରିବନି । କଳାକାର ତା’ର କଳାରେ ସବୁବେଳେ ଜୀବନ୍ତ , ଯାହା ଅନୁପମ୍ ମୁଖାର୍ଜୀଙ୍କୁ ଦେଖିଲେ ସ୍ପଷ୍ଟ ହୁଏ ।