କନକ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସୃଷ୍ଟି ହେଲାଣି ବିପଦ । ଶ୍ରୀମନ୍ଦିର ଓ ଏହାର ଆଖପାଖରେ କୌଣସି ଡ୍ରୋନ୍ ଉଡ଼ିବ ନାହିଁ ବୋଲି ନିୟମ ରହିଥିଲେ ବି ବାରମ୍ବାର ଏହାର ଉଲ୍ଲଂଘନ ହେଉଛି । ନିୟମ ନମାନି ବଡ଼ଦେଉଳ ଉପରେ ଡ୍ରୋନ୍ ଉଡ଼ାଉଛନ୍ତି ଦୁର୍ବୃତ୍ତ । କିନ୍ତୁ ଏହାକୁ ରୋକିବାକୁ ଯେମିତି ପଦକ୍ଷେପ ନିଆଯିବା କଥା ସେମିତି ହେଉନି ।

Advertisment

୨୪ଘଣ୍ଟା ଭିତରେ ଦୁଇ ଦୁଇ ଥର ଡ୍ରୋନ୍‌ ଉଡ଼ାଇ ପୁରୀ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଗୁରୁବାର ରାତିରେ ୧୫ ମିନିଟ୍ କାଳ ଡ୍ରୋନ୍ ଉଡ଼ାଇ ହାଇ ସିକ୍ୟୁରିଟି ଜୋନ୍‌କୁ ହାଇଜାକ୍‌ କଲେ । ନୀଳଚକ୍ର ଠାରୁ ସିଂହଦ୍ଵାର ଏବଂ ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ଭଳି ସମ୍ବେଦନଶୀଳ ସ୍ଥାନର ଏରିଏଲ ଭ୍ୟୁ କଏଦ କଲେ । ପୁଣି ସକାଳୁ ୧୦ ମିନିଟ୍ ଧରି ନୀଳଚକ୍ର ନିକଟରେ ଚକ୍କର କାଟିଥିଲା ଆଉ ଏକ ବେଆଇନ ଡ୍ରୋନ୍ ।

ଶ୍ରୀମନ୍ଦିର ଉପରେ ବେଆଇନ ଡ୍ରୋନ୍‌ ଉଡ଼ାଇବା ନୂଆ ନୁହେଁ। ପୂର୍ବରୁ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଜାନୁଆରି ୫ରେ ୩୦ ମିନିଟ୍ ଧରି ଉଡ଼ିଥିଲା । ଜାନୁଆରି ୨୯ରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଉପରେ ଉଡ଼ିଲା । ୧୬ ମାର୍ଚ୍ଚ ୨୦୨୫ ରେ ବି ଘଟିଥିଲା ସମାନ ଘଟଣା । ୧୧ ଜୁନ୍‌ ସ୍ନାନ ପୂର୍ଣ୍ଣିମା ଦିନ ବି ଡ୍ରୋନ୍‌ ଉଡ଼ିଥିଲା । ୨୮ ଅଗଷ୍ଟରେ ବି ଅନୁରୂପ ଭାବରେ ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଥିଲା ଡ୍ରୋନ୍ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଡିଜିପି । କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଯେମିତି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।

ସବୁଥର ଏଭଳି ଘଟଣା ଘଟିବା ପରେ ମାମଲା ରୁଜୁ ହେଉଛି । କିନ୍ତୁ ଦୃଷ୍ଟାନ୍ତମୂଳକ ଦଣ୍ଡ ହେଉନଥିବାରୁ ବଢ଼ିବାରେ ଲାଗିଛି ସଂଖ୍ୟା । ପ୍ରଶ୍ନ ଉଠୁଛି, ଆଉ କେତେ ହେଲେ ଚେତିବ ପ୍ରଶାସନ ?