କନକ ବ୍ୟୁରୋ : କ୍ୟାପିଟାଲ୍  ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ। ଡାକ୍ତରଙ୍କ ସୁରକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯାଇଛି ଫୋର୍ସ । ହସ୍ପିଟାଲରେ ଅଧିକ ଫୋର୍ସ ମୁତୟନ କରିବା ସହିତ ଥାନା ଅଧିକାରୀ ଡାକ୍ତରଖାନାରେ ରାତି ତମାମ୍ ପଇଁତରା ମାରୁଛନ୍ତି। କିଛିଦିନ ତଳେ ଡାକ୍ତରଙ୍କୁ ହୋଇଥିବା ଆକ୍ରମଣ ବିଷୟରେ ଭୁବନେଶ୍ୱର ଡିସିପିଙ୍କୁ ଜଣାଇ ସୁରକ୍ଷା ଦାବି କରିଥିଲେ କନିଷ୍ଠ ଡାକ୍ତର ସଂଘ ।   ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲରେ ଆକ୍ରମଣର ଶିକାର  ହୋଇଥିଲେ କାର୍ଯ୍ୟରତ ଡାକ୍ତର ଜନ୍ମେଜୟ ମିଶ୍ର । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ଆଉ ଜଣେ ଏବେବି ଫେରାର । ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧି ରୋଗୀ ସେବା କରୁଥିଲେ  ଡାକ୍ତର ।

Advertisment

ଅନ୍ୟପଟେ ଡାକ୍ତରଙ୍କ ସପକ୍ଷରେ ଆଗକୁ ଆସିଥିଲେ  ସ୍ବାସ୍ଥ୍ୟ ସଚିବ । କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି ଡାକ୍ତର । କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ପରେ ସେମାନେ ମାଗୁଛନ୍ତି ସୁରକ୍ଷା । ଏଭଳି ପରିବେଶରେ ଡ୍ୟୁଟି କରିବା ଅସମ୍ଭବ ବୋଲି କହିଥିଲେ  କନିଷ୍ଠ ଡାକ୍ତର ସଂଘ । ଡାକ୍ତରଙ୍କ ସୁରକ୍ଷା ପାଇଁ ବିଭିନ୍ନ ବିଭାଗରେ ପୁଲିସ ଫୋର୍ସ ମୁତୟନ କରିବାକୁ ଦାବି କରିଛି ଡାକ୍ତର ସଂଘ । କନିଷ୍ଠ ଡାକ୍ତର ସଂଘ କଳାବ୍ୟାଜ୍‌ ପିନ୍ଧି ନିଜ ଦାୟିତ୍ୱ ତୁଲାଇଥିଲେ ।

ସରକାର ନଶୁଣିଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି କହିଥିଲେ  ସଂଘ ।  ପରିସ୍ଥିତି ବୁଝିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ସ୍ବାସ୍ଥ୍ୟ ସଚିବ । ଡାକ୍ତରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଅନ୍ୟପଟେ ଡାକ୍ତରଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି । କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପ୍ରଥମ ନୁହଁ । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆକ୍ରୋଶର ଶିକାର ହୋଇଆସୁଛନ୍ତି ଡାକ୍ତର । ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ସଚିବଙ୍କୁ ନିବେଦନ କରିଥିଲେ  କନିଷ୍ଠ ଡାକ୍ତର ସଂଘ ।