କନକ ବ୍ୟୁରୋ : କିଛି ଦିନ ତଳେ ଜଳ ସେଚନକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେହି ସମୟରେ ମାତ୍ର ୧୭ ଲକ୍ଷ ହେକ୍ଟର ଜମିକୁ ପାଣି ପହଂଚିଛି କହି କଟାକ୍ଷ କରିଥିଲେ । ଆଗାମୀ ୫ ବର୍ଷ ଭିତରେ ୧୫ ଲକ୍ଷ ହେକ୍ଟର ଜମିକୁ ନୂଆ ସରକାର ଜଳ ସେଚନ କରିବେ ବୋଲି କହିଥିଲେ । 
 
ମୁଖ୍ୟମନ୍ତ୍ରୀ କହିବାର ମାତ୍ର ତିନି ଦିନ ପରେ ଜଳ ସମ୍ପଦ ବିଭାଗର ସଚିବ ସ୍ତରୀୟ ବୈଠକର ତଥ୍ୟ ଚକିତ କରିଛି । ସଚିବ ଦର୍ଶାଇଛନ୍ତି, ରାଜ୍ୟରେ ପୂର୍ବରୁ ୪୪% ଜମିକୁ ଜଳସେଚନ ହେଉଥିବା ବେଳେ ଏହା ବୃଦ୍ଧି ପାଇ ୮୯%ରେ ପହଞ୍ଚିଛି । ପରିବାର ପିଛା ହାରାହାରି ଦୁଇଗୁଣ ଜଳସେଚନ ବଢ଼ି ୦.୯ ଏକରରୁ ୧.୮% ଛୁଇଁଛି । ସଚିବଙ୍କ ଏଭଳି ତଥ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସଚିବ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ମିଛ ତଥ୍ୟ ଦେଉଥିବା କହିଛି ବିଜେଡି । ଯାହାର କଡ଼ା ଜବାବ ରଖିଛି ଶାସକ ଦଳ । 

Advertisment

ରାଜ୍ୟରେ ପାଖାପାଖି ୬୦ ଲକ୍ଷ ହେକ୍ଟର ଚାଷ ଜମି ରହିଛି । ସଚିବଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ହେକ୍ଟର ଜମିକୁ ପାଣି ପହଂଚି ସାରିଛି । ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ଯଦି ରାଜ୍ୟରେ ୮୯ ପ୍ରତିଶତ ଜମିରେ ଜଳ ସେଚନ ହେଉଛି ତାହାଲେ, ମରୁଡ଼ିକୁ ନେଇ ଏତେ ଅଭିଯୋଗ କାହିଁକି ବୋଲି ପ୍ରଶ୍ନ କରିଛନ୍ତି  । ଚାଷୀ ଓ ଚାଷ ପ୍ରସଙ୍ଗ ରାଜନୀତିରେ ସବୁବେଳେ ପ୍ରମୁଖ ଭୁମିକା ନେଇଥାଏ । ଆଉ ଏବେ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଭିନ୍ନ ଭିନ୍ନ ତଥ୍ୟ ସରକାରକୁ ଘେରିବାକୁ ବିରୋଧିଙ୍କୁ ବଳ ଦେଇଛି । ତେବେ ସଚିବଙ୍କ ତଥ୍ୟରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହେବା ଆବଶ୍ୟକ ।