କନକ ବ୍ୟୁରୋ : ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭ ରୁ ଆସି ମୟୂରଭଞ୍ଜ ପହଞ୍ଚି ସାରିଛି ଆଉ ଏକ ବାଘୁଣୀ। ଶିମିଳିପାଳର କୋର ଅଂଚଳରେ ରହିଥିବା ସଫଟ ଏନକ୍ଲୋଜରରେ କାଲି ସକାଳେ ବାଘୁଣୀକୁ ଛଡାଯିବ । ଏହାପରେ ତା’ର ଗତିବିଧି ଓ ସ୍ବାସ୍ଥ୍ୟ ଅବସ୍ଥାକୁ ଲକ୍ଷ୍ୟ କରି ତାକୁ କେବେ ଏନକ୍ଲୋଜରରୁ ମୁକ୍ତ କରାଯିବ ସେନେଇ ଶିମିଳିପାଳ କର୍ତ୍ତୃପକ୍ଷ ନିଷ୍ପତି ନେବେ ।
୨୦୨୩ ବାଘ ଗଣନା ଅନୁସାରେଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା। ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ। ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ। ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀକୁ ଶିମିଳିପାଳ ଅଣାଯାଇଛି ।