କନକ ବ୍ୟୁରୋ: ପାଖେଇ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଚଳଚଞ୍ଚଳ ରଥ ଖଳା । ସାଆନ୍ତେଙ୍କ ପାଇଁ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚାରି ନାହାକା ଉଠିବା ପରେ ତିନି ରଥରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇଥିଲା । ଗତକାଲି ସୁଦ୍ଧା ତିନିରଥର ଉଭୟ ପାର୍ଶ୍ଵରେ ତିନୋଟି ଲେଖାଏଁ ପୋଲ ଗୟଳ ମୋଡାଯାଇ ଅନୁକୂଳ ପୂଜା କରାଯାଇଛି । ତେବେ ତିନିରଥର ଛନ୍ଦା ଗୟଳ ମୋଡା ଶେଷ ହୋଇଛି । ସେଠି ମଧ୍ୟରୁ ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନିରଥରେ ମୋଡା ଶେଷ ହୋଇଥିଲା ।
ଆଜି ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ ଆରମ୍ଭ ହୋଇଛି । ସେପଟେ ଆଉ ଦିନକ ପରେ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ । ସ୍ନାନପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତ ମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।