କନକ ବ୍ୟୁରୋ : ଦେଶ ପାଇଁ ଗର୍ବ ଆଣିଛନ୍ତି ଶୁଭାଂଶୁ , ଆଜି ସାରା ଦେଶ ତାଙ୍କ ପାଇଁ ଶୁଭ ମନାସୁଛି । ୧୯୮୫ ଅକ୍ଟୋବର ୧୦ରେ ଲକ୍ଷ୍ନୌରେ ଶୁଭାଂଶୁଙ୍କ ଜନ୍ମ । ଶୁଭାଂଶୁଙ୍କ ବାପା ଶମ୍ଭୁ ଦୟାଲ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଶୁଭାଂଶୁଙ୍କ ପତ୍ନୀ କାମନା ମିଶ୍ରା ପେସାରେ ଜଣେ ଡାକ୍ତର ।  ଉଭୟେ ସ୍କୁଲ ବେଳର ସାଙ୍ଗ , ପିଲାବେଳୁ ଚିହ୍ନା ପରିଚୟ । ପରେ ପରିବାରର ସହମତିରେ ହୋଇଥିଲା ବିବାହ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । 

Advertisment

ଶୁଭାଂଶୁଙ୍କ କ୍ୟାରିୟର 

ଶୁଭାଂଶୁ ଶୁକ୍ଳାଙ୍କ ଲକ୍ଷ୍ନୌ ସିଟି ମଣ୍ଟେସରି ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ । ଦ୍ବାଦଶ ପଢ଼ା ପରେ ସେ ଏନ୍‌ଡିଏରେ ଯୋଗଦେଲେ । ୧୬ ବର୍ଷରେ ନ୍ୟାସନାଲ ଡିଫେନ୍ସ ଏକାଡେମିରେ ତାଙ୍କର ଚୟନ ହୋଇଥିଲା । ୨୦୦୬ରେ ଶୁଭାଂଶୁ ଇଣ୍ଡିଆନ୍‌ ଏୟାରଫୋର୍ସରେ ପାଇଲଟ୍‌ ହେଲେ । ମାତ୍ର ୩ ବର୍ଷରେ ସେ ବନିଗଲେ ୱିଙ୍ଗ୍‌ କମାଣ୍ଡର , ତା’ପରେ ତାଙ୍କୁ ମିଳିଲା କ୍ୟାପଟେନ୍‌ ପଦ । ୨୦୨୪ରେ ତାଙ୍କୁ ମିଳିଲା ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଦାୟିତ୍ବ । ସେ ମୋଟ୍‌ ୨୦୦୦ ଘଣ୍ଟା ବିମାନ ଉଡ଼ାଇଛନ୍ତି ଶୁଭାଂଶୁ । ତାଙ୍କୁ କେବଳ ଇଂରାଜୀ ଓ ହିନ୍ଦୀ ଭାଷା ଜଣା । 

କେଉଁ ବିମାନ ଉଡ଼ାଇଛନ୍ତି?

ମିଗ୍‌-୨୧ , ମିଗ୍‌-୨୯ , ସୁ-୩୦ ଏମ୍‌କେଆଇ , ଜାଗୁଆର , ଏନ୍‌-୩୨ , ହକ୍‌ ଏବଂ ଡୋର୍ନିର ବିମାନ ଆଦି ଉଡ଼ାଇଛନ୍ତି ଶୁଭାଂଶୁ । 
ଶୁଭାଂଶୁଙ୍କ ସହ ଅଛନ୍ତି କମାଣ୍ଡର ପେଗି ହ୍ୱିଟସନ୍ ମିସନ ବିଶେଷଜ୍ଞ ସ୍ଲାଓସ୍ ଉଜନାନ୍ସ୍କି-ୱିସ୍ନିୱସ୍କି ଏବଂ ଟିବୋର୍ କାପୁ । ଇସ୍ରୋର ସାଥୀ ମହାକାଶଚାରୀ ପ୍ରଶାନ୍ତ ନାୟାର ବ୍ୟାକଅପ୍ କ୍ରୁ ସଦସ୍ୟ । ହ୍ୟୁଷ୍ଟନରେ ନାସାର ଜନସନ୍ ସ୍ପେସ୍ ସେଣ୍ଟରରେ ଏକାଠି ତାଲିମ୍‌ ନେଇଥିଲେ ପ୍ରଶାନ୍ତ ଓ ଶୁଭାଂଶୁ । 

NASA, SpaceX ଏବଂ ISRO ସହଯୋଗରେ ଏହି ମିସନ୍‌ ଜାରି । ଅନ୍ତର୍ଜାତୀୟ ମହାକାଶ ଉଡ଼ାଣ ସହଯୋଗକୁ ମଜଭୁତ କରିବା ଲକ୍ଷ୍ୟ । ରାକେଶ ଶର୍ମାଙ୍କ ପରେ ଶୁକ୍ଳା ଦ୍ବିତୀୟ ମହାକାଶଚାରୀ । ISS ପରିଦର୍ଶନ କରୁଥିବା ପ୍ରଥମ ଭାରତୀୟ ମହାକାଶଚାରୀ କକ୍ଷପଥରେ ଦ୍ୱିତୀୟ ଭାରତୀୟ ଶୁଭାଂଶୁ । ଶୁଭାଂଶୁଙ୍କ ସିଟ୍‌ର ମୂଲ୍ୟ ପ୍ରାୟ ୫୦୦ କୋଟି ।

ପୁଅଟିଏ ଯେତେବେଳେ ସଫଳାତର ଶୀର୍ଷରେ ପହଞ୍ଚେ ସେତେବେଳେ ସବୁଠୁ ବେଶି ଖୁସି ହୁଅନ୍ତି ବାପା ମାଆ । ଏଇ ଯେମିତି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମାଆଙ୍କ ଆଖିରୁ ଝରି ପଡିଛି ଖୁସିର ଲୁହ । ପୁଅ ଯେତେବେଳେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିଶନ-୪ ଦ୍ବାରା ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି , ସେତେବେଳେ ପୂରା ଭାରତ ତାଙ୍କ ପୁଅକୁ ପ୍ରଶଂସା କରିଛି । ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ଆଶୀର୍ବାଦ କରିଛନ୍ତି ଦେଶବାସୀ । ଏସବୁ ଦୃଶ୍ୟ ଦେଖି ଭାବବିହ୍ବଳ ହୋଇପଡିଛନ୍ତି ଶୁଭାଂଶୁଙ୍କ ମାଆ ।