କନକ ବ୍ୟୁରୋ : ରାଜ୍ୟରେ ଦ୍ବିତୀୟ କୋଭିଡ୍‌ ପଜିଟିଭ ରୋଗୀ ଚିହ୍ନଟ । ଲକ୍ଷଣଯୁକ୍ତ ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍‌ ପରୀକ୍ଷାରୁ ହୋଇଛି ସ୍ପଷ୍ଟ । ତେବେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌ କୀଟ୍‌କୁ ଭୁବନେଶ୍ୱର ସ୍ଥିତ RMRCକୁ ପଠାଯାଇଛି । ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କର RTPCR ପରୀକ୍ଷା କରାଯିବ । RTPCR ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ୍‌ ହୋଇଛି କି ନାହିଁ ସ୍ପଷ୍ଟ କରିବ ସ୍ଵାସ୍ଥ୍ୟ ବିଭାଗ ।

Advertisment

ଅନ୍ୟପଟେ ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡିଓ କନଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ସାମିଲ ହେବେ । ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ସେପଟେ ଚିନ୍ତା ବଢ଼ାଇଲାଣି ଦେଶରେ ୬ ସଂକ୍ରମିତଙ୍କ ମୃତ୍ୟୁ । ମହାରାଷ୍ଟ୍ରରୁ ୩, କେରଳରୁ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ , ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ଏହାପରେ ରହିଛି ମହାରାଷ୍ଟ୍ର ଓ ଦିଲ୍ଲୀ । ଏହାସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣରେ ଲଗାମ୍‌ ଲାଗୁନି ।