କନକ ବ୍ୟୁରୋ: ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗିରଫ ହୋଇଥିବା ଅଭିଯୁକ୍ତ ରାଜେଶ ଓରଫ ରଜିଆ ସୁଲତାନକୁ ପୋଲିସ ପଚରାଉଚରା କରିବା ପରେ ଏବେ ଏକ ବଡ଼ ଷଡ଼ଯନ୍ତ୍ରର ଖୁଲାସା ହୋଇଛି । ଅଭିଯୁକ୍ତ ଜଣକ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବାକୁ ଯାଇନଥିଲା, ବରଂ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିବାର ଯୋଜନା କରିଥିଲା । ଜୀବନରୁ ମାରିଦେବାର ଯୋଜନାର କରିଥିଲା ଅଭିଯୁକ୍ତ । ଏହି ଘଟଣା ପରେ ଦିଲ୍ଲୀ ରାଜନୀତିରେ ଚହଳ ସୃଷ୍ଟି ହୋଇଛି ।
ଆକ୍ରମଣ ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲା ଅଭିଯୁକ୍ତ:
ପୋଲିସର ପଚରାଉଚରା ସମୟରେ ରାଜେଶ ସ୍ୱୀକାର କରିଛି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ଯିବା ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲା । କିନ୍ତୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡେ ଆସିଥିଲା । ହେଲେ କଣ ପାଇଁ ସପ୍ରିମ୍କୋର୍ଟ ଜାଇଥିଲା ଅଭିଯୁକ୍ତ ସେ ସମ୍ପର୍କ ରେ କିଛି ଜଣାପଡିନାହିଁ।
ଏପଟେ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାର ତାଙ୍କୁ ଦେଇଥିବା 'Z' କାଟାଗୋରୀର CRPF ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ପୁଣିଥରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସିଭିଲ ଲାଇନ୍ସ ସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ 'ଜନ ଶୁଣାଣି' କାର୍ଯ୍ୟକ୍ରମରେ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଏକ "ସୁପରିକଳ୍ପିତ ହତ୍ୟା ଷଡ଼ଯନ୍ତ୍ର" ବୋଲି କହିଥିଲା । ଏହି ଘଟଣାର ଗୋଟିଏ ଦିନ ପରେ, ଅଗଷ୍ଟ ୨୧ ତାରିଖରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷା ସମୀକ୍ଷା କରି CRPFର ଭିଆଇପି ସୁରକ୍ଷା ୟୁନିଟ୍ ଦ୍ୱାରା 'Z' କାଟାଗୋରୀ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ନିର୍ଦ୍ଦେଶ ପରେ CRPF କମାଣ୍ଡୋମାନେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେବା ଆରମ୍ଭ କରିଥିଲେ । ଯୋଜନା ଅନୁଯାୟୀ, ୨୨ରୁ ୨୫ ଜଣ CRPF କମାଣ୍ଡୋଙ୍କ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ବଳୟରେ ମୁତୟନ ହେବାର ଥିଲା । କିନ୍ତୁ, ଏହି ନିଷ୍ପତ୍ତିର କିଛି ଦିନ ପରେ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ ଆଣିଥିଲେ । ସୋମବାର, ଅଗଷ୍ଟ ୨୫, ୨୦୨୫ ରେ CRPF ସୁରକ୍ଷାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଗଲା । ସରକାରୀ ସୂତ୍ର ଅନୁଯାୟୀ, CRPF ସୁରକ୍ଷା ଯୋଗାଇଦେବା ପାଇଁ ଆନୁଷ୍ଠାନିକ ଆଦେଶ ଚୂଡ଼ାନ୍ତ ହୋଇନଥିଲା ଏବଂ ପରେ ଏହି ଯୋଜନାରେ ପରିବର୍ତ୍ତନ କରାଯାଇ ପ୍ରତ୍ୟାହାର ଆଦେଶ ଜାରି କରାଯାଇଥିଲା । ଫଳରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ପୂର୍ବଭଳି ପୁଣି ଦିଲ୍ଲୀ ପୋଲିସ ହାତକୁ ଆସିଛି ।