କନକ ବ୍ୟୁରୋ : ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ । କମ୍ ସମୟରେ, କମ୍ ଭଡ଼ାରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବେ ପର୍ଯ୍ୟଟକ । ଆଉ ତାହା ବି ପୁଣି ହେଲିକପ୍ଟରରେ । ସେହିଭଳି ଚିଲିକା ଓ ହୀରାକୁଦରେ ସି’ପ୍ଲେନ ଚଲାଇ ପର୍ଯ୍ୟଟକଙ୍କୁ ଓଡ଼ିଶାମୁହାଁ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏହାବାଦ୍ ଦୁବାଇ ଓ ସିଙ୍ଗାପୁରକୁ ବିମାନ ଚଳାଚଳ ବନ୍ଦ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ସରକାର ।
ପର୍ଯ୍ୟଟନ କ୍ଷେତ୍ରକୁ ମିଳିବ ବୁଷ୍ଟରଡୋଜ । ଅକ୍ଟୋବରରୁ ଓଡ଼ିଶାରେ ଆରମ୍ଭ ହେବ ସି’ପ୍ଲେନ ସେବା । ଚିଲିକା ଓ ହୀରାକୁଦରେ ସି’ପ୍ଲେନ ଚଳାଇବାକୁ କେନ୍ଦ୍ରର ମଞ୍ଜୁରୀ ଲୋଡ଼ିଛି ଓଡ଼ିଶା । ସେହିଭଳି ଶସ୍ତାରେ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସରକାର ଆରମ୍ଭ କରିବେ ହେଲିଟାକ୍ସି ଯୋଜନା । ଭୁବନେଶ୍ୱରରୁ ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଓ ଗୋପାଳପୁର ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ଅଳ୍ପ ଭଡ଼ାରେ ହେଲିକପ୍ଟରରେ ଉଡ଼ାଣ ଭରିପାରିବେ ପର୍ଯ୍ୟଟକ । ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଓଡ଼ିଶା ଏଭଳି ପ୍ରସ୍ତାବ ରଖିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଉ ପାଦେ ଆଗକୁ ବଢ଼ିଛି ।
ରାଜ୍ୟରେ ବନ୍ଦ ପଡ଼ିଥିବା ୨୨ ଏୟାରଷ୍ଟ୍ରିପ୍ ଖୁବ୍ଶୀଘ୍ର ହେବ କାର୍ଯ୍ୟକ୍ଷମ । ଏନେଇ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେହିଭଳି ବିମାନବନ୍ଦରରେ ଯାତ୍ରୀଙ୍କ ସୁବିଧା ପାଇଁ ଖୋଲିଛି ଉଡାନ୍ କାଫେ । ଅନ୍ୟପଟେ ରାଜ୍ୟ ଭିତରେ ବାରମ୍ବାର ବିମାନ ଚଳାଚଳ ବନ୍ଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । କେବଳ ରାଜ୍ୟ ଭିତରେ ନୁହେଁ ଦୁବାଇ ଓ ସିଙ୍ଗାପୁରକୁ ବିମାନ ଉଡ଼ାଣ ବନ୍ଦ ନେଇ ଆଶଙ୍କା ଭିତରେ ତତ୍ପରତା ଦେଖାଇଛନ୍ତି ସରକାର । ଏହି ୨ ରୁଟ୍ରେ ବିମାନ ଉଡ଼ାଣକୁ ନିଶ୍ଚିତ କରିବାକୁ ସରକାରଙ୍କ ପକ୍ଷରୁ ବିମାନ ଉଡ଼ାଣକାରୀ ସଂସ୍ଥାକୁ ଭିଜିଏ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ସଚିବ ।
ପ୍ରଶ୍ନ ଉଠୁଛି, କେବେ ପୂରଣ ହେବ ଓଡ଼ିଶାରୁ ଦେଶର ପ୍ରମୁଖ ସହରକୁ ଉଡ଼ିବା ସ୍ୱପ୍ନ ? ଓଡ଼ିଶାରୁ ଦେଶର ସବୁ ରାଜ୍ୟକୁ କେବେ ମିଳିବ ବିମାନ ସେବା ? ଅନ୍ତର୍ଜାତୀୟ ବିମାନ ପାଇଁ ଓଡ଼ିଶାରେ କେବେ ହେବ ଭିତ୍ତିଭୂମି ?