Sea Sold Photograph: (Kanak News)
କନକ ବ୍ୟୁରୋ : ସମୁଦ୍ର ବିକ୍ରି ହୋଇଛି । ତାହା ବି ନିଷିଦ୍ଧାଞ୍ଚଳ ଅଭୟାରଣ୍ୟରେ । କଥାଟା ଅଡୁଆ ଲାଗୁଥିବ, କିନ୍ତୁ ଓଡ଼ିଶାରେ ଏଭଳି ସମ୍ଭବ । ରାଜନଗର ଗହୀରମଥା ଅଭୟାରଣ୍ୟର ୨୮ ଏକରରୁ ଅଧିକ ସମୁଦ୍ର ଜମି ଏବେ ପ୍ରାଇଭେଟ କମ୍ପାନି କବ୍ଜାରେ । ୨୦୧୧ରୁ ଜମି ବିକ୍ରି ହୋଇଛି । ହେଲେ ନିଷିଦ୍ଧାଞ୍ଚଳ ଜମି କେମିତି ବିକିଲେ ସରକାରୀ ବାବୁ, ତାହା ବେଶ ରହସ୍ୟମୟ ।
ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ସରକାର ଏଠାରେ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଇଛନ୍ତି । ବିନା ଅନୁମତିରେ ଏଠାରେ ପାଦ ପଡ଼ିବା ମୁସ୍କିଲ । ହେଲେ ଅଣଓଡ଼ିଆ କମ୍ପାନି ଆଗରେ ଏହି ସରକାରୀ ନିୟମ ତୁଚ୍ଛ । ଅଭୟାରଣ୍ୟ ପରିଧିରେ ଥିବା ୨୮ ଏକର ସମୁଦ୍ରକୁ କିଣିନେଇଛନ୍ତି ଦିଲ୍ଲୀ ଓ ତାମିଲନାଡୁର କମ୍ପାନି । ଦିଲ୍ଲୀର ଏନପିବି ଫାର୍ମସ ପ୍ରାଇଭେଟ ଲିମିଟେଡ ୨୦୧୧ରେ ୧୪ ଏକର ୫୬ ଡେସିମିଲ୍, ନିର୍ବାଣ ହାୟାର ପରଚେଜ ଲିମିଟେଡ ୯ ଏକର ଓ ତାମିଲନାଡରୁ ଲଉରେଲ ଫାର୍ମସ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ ୪ ଏକରରୁ ଅଧିକ ଜମି କିଣିଛନ୍ତି । ପ୍ରଶ୍ନ ଉଠୁଛି, ସାମୁଦ୍ରିକ ଅଞ୍ଚଳକୁ କିଣିବାକୁ କିଏ ଦେଲା ଅନୁମତି ? କେମିତି ହେଲା ରେଜିଷ୍ଟ୍ରେସନ୍ ? କିଏ ଥିଲେ ସବ୍ରେଜିଷ୍ଟର ?
କମ୍ପାନି କିଣିଥିବା ୨ଟି ରାଜସ୍ୱ ଗ୍ରାମର ଜମି ଏବେ ସମୁଦ୍ର ଭିତରେ । ହେଲେ ପ୍ରଶ୍ନ ଉଠୁଛି, କେଉଁ କାମରେ ବ୍ୟବହାର ପାଇଁ କିଣାଯାଇଛି ଏହି ସମୁଦ୍ର ଭିତରର ଜମି ? ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ସତ୍ତ୍ୱେ କିଭଳି କବଲା କରାଇଲେ ସରକାରୀ ବାବୁ ? କେବଳ ଏତିକି ନୁହେଁ, କାଗଜପତ୍ରରେ କିଣାଯାଇଥିବା ଏହି ଜମିକୁ ଦେଖାଇ କମ୍ପାନି ମନଇଚ୍ଛା ଋଣ ଉଠାଉଥିବା ଅଭିଯୋଗ ହେଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ତହସିଲଦାର ।
ଅଭୟାରଣ୍ୟ ସରକାରଙ୍କର ହେଲେ ଭିତରେ ଥିବା ଜମିକୁ ଭିତିରିଆ ହାତେଇଛନ୍ତି ବାହାର ରାଜ୍ୟର କମ୍ପାନି । ଯାହା ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ, ଯାହାର ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।
Follow Us