କନକ ବ୍ୟୁରୋ: ବଡ଼ବଡ଼ ବାତ୍ୟା ସହ ପ୍ରତିବର୍ଷ ସମୁଦ୍ର ଜୁଆର ମାଡ଼ରେ ଧରାଶାୟୀ ହେଉଛି ତାଳସାରୀ ନିକଟ ସୁବର୍ଣ୍ଣପୁର ଦ୍ୱୀପର ଶହଶହ ଝାଉଁ ଗଛ । ପଥର ବନ୍ଧ ନଥିବାରୁ ସମୁଦ୍ର ଗାଁ ମୁହାଁ ହେଉଛି । ଫଳରେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବାସିନ୍ଦା ।
 
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଆକର୍ଷଣୀୟ ବେଳାଭୂମି ଉଦୟପୁର-ତାଳସାରୀ । ଆଉ ଏହାକୁ ଲାଗି ରହିଛି ମନୋରମ ଦ୍ୱୀପ ‘ସୁବର୍ଣ୍ଣପୁର’ । ଏଠାକାର ଝାଉଁ ଜଙ୍ଗଲକୁ ନାଲି କଙ୍କଡ଼ାର ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ହେଲେ ବର୍ତ୍ତମାନ ଏହା ନିଜ ସତ୍ତା ହରାଇବାକୁ ବସିଛି । ଜୁଆର ମାଡ଼ରେ ଦ୍ୱୀପର ସୁଉଚ୍ଚ ବାଲୁକା ସ୍ତୁପ ଲୀନ ହୋଇଗଲାଣି । ଶହଶହ ଝାଉଁ ଗଛ ବି ନିଶ୍ଚିହ୍ନ ହେବାର ଲାଗିଛି ।

Advertisment

ଭୋଗରାଇ ବ୍ଲକ ହୁଗୁଳିର ବିନ୍ଧାପଦ୍ମପୁର, ଗୋଛିଦାତେଘରୀର କୃଷ୍ଣନଗର, ଶ୍ରଦ୍ଧାପୁରରର ଖଡ଼ିବିଲ, କନ୍ୟାନଗରୀ, କାଁଥିଭଉଁରୀର ରଣସିଂପୁର, ନାରାୟଣ ମହାନ୍ତି ପଡ଼ିଆର ପଞ୍ଚାୟତର ବିର୍ଜା ଦାଣ୍ଡି ଓ ଭିରିକିଟି ମୁହାଣ ନିକଟରେ ସମୁଦ୍ର କୂଳ ଖାଉଛି। ପଥର ବନ୍ଧ ନଥିବାରୁ ଗାଁ ମୁହାଁ ହେଉଛି ସମୁଦ୍ର । ତାଳସାରୀଠାରୁ କୀର୍ତ୍ତନିୟା ପର୍ଯ୍ୟନ୍ତ ୧୨ କିମି ଯାଏଁ ପଥର ବନ୍ଧ ନିର୍ମାଣ ଦାବି କରିଛନ୍ତି ଗାଁ ଲୋକ । ଗତ ୫ ବର୍ଷ ଭିତରେ ତାଳସାରୀ ବେଳାଭୂମିର ଭୌଗୋଳିକ ଚିତ୍ର ପରିବର୍ତ୍ତନ ହେବାରେ ଲାଗିଛି । ତେଣୁ ତୁରନ୍ତ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।