କନକ ବ୍ୟୁରୋ : ସାମ୍ନାକୁ ଆସିଛି ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଥିବା ସ୍ଥାନର ଦୃଶ୍ୟ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ହବାଳିଖଟି ଠାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଥିଲା । ଏବେବି ଏଠାରେ ସମୁଦ୍ରର ପ୍ରକୋପ କମିନାହିଁ । ସମୁଦ୍ରର ଉଚ୍ଚ ଜୁଆର ଏହି ପର୍ୟ୍ୟଟନସ୍ଥଳୀରେ ନିର୍ମାଣ ହୋଇଥିବା କଟେଜ ଉପରେ ମାଡ କରୁଛି । କଟେଜ ତଳୁ ବାଲିକୁ ଧୋଇ ନେଇଛି ସମୁଦ୍ର । ଜୁଆର ମାଡରେ କଟେଜର ପାଇଲିଂ କ୍ୟାପ ତଳୁ ବାଲି ଧୋଇ ହୋଇଯାଇଥିବା ବେଳେ ପିଲାରରୁ କଂକ୍ରିଟ ଖଣ୍ଡ ବାହାରି ଯାଇଛି ।
କଟେଜ ଭିତରେ ରହିଲେ ବାହାରକୁ ବାହାରିବାର ବାଟ ନାହିଁ କିମ୍ବା କଟେଜକୁ ଉଠିବାକୁ ଥିବା ପାହାଚ ୧୫ଫୁଟ ଉଚ୍ଚତାରେ ରହିଛି। ଏପରି ବିପଦଜନକ କଟେଜରେ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରିଛି ବନବିଭାଗ । ଆଜି ଗ୍ରାଉଣ୍ଡ ଜିରୋରେ ଆମ ପ୍ରତିନିଧି ପହଁଚି ସ୍ଥିତି ପରଖି ଥିଲେ । ଭିତରକନିକାର ହବାଳିଖଟିରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କୋଳାହଳ ଠାରୁ ସମ୍ପୂର୍ଣ୍ଣ ଦୂରରେ ଥିବା ନିର୍ଜନ ବେଳାଭୂମିରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନେ ଏଠାରେ ରହିବାକୁ ପସନ୍ଦ କରିଥାନ୍ତି । ଏଠାରେ ସଂଖ୍ୟାଧିକ ଡଲଫିନଙ୍କ ସହିତ ନୀଳରଂଗ ଏଣ୍ଡୁଅ, ଝିଙ୍କ, ଅଜଗର ଓ ଅହିରାଜଙ୍କୁ ଦେଖିବାକୁ ମିଳେ । ହବାଳିଖଟିରେ ପର୍ଯ୍ୟଟକଙ୍କ ରହିବା ପାଇଁ ୪ଟି କଟେଜ ଡଲଫିନ ହାଉସ ସହିତ ୫ଟି ଟେଂଟ ହାଉସ ରହିଛି ।
ଏହି ସ୍ଥାନରେ ସମୁଦ୍ର ପ୍ରାୟ ୧୦୦ଫୁଟ ଭିତରକୁ ମାଡି ଆସିଛି । ଏପରିସ୍ଥଳେ ବନବିଭାଗ ତରବରିଆ ଭାବେ ପର୍ୟ୍ୟଟକଙ୍କ ପାଇଁ ଏହି କଟେଜ ଗୁଡିକୁ ଖୋଲିଦେଇଛି । ଚଳିତମାସ ୩୧ ତାରିଖ ଯାଏଁ ଏହି କଟେଜ ଗୁଡିକ ବୁକିଂ ରହିଛି । ଏପରି ସ୍ଥିତିରେ କିଭଳି ପର୍ଯ୍ୟଟକମାନଙ୍କୁ ବିପଦ ମୁହଁକୁ ଠେଲି ଦିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି ।