କନକ ବ୍ୟୁରୋ : ଆଦିବାସୀଙ୍କ ସଂସ୍କୃତିର ବିକାଶ ତଥା ସୁରକ୍ଷା ପାଇଁ ପୂର୍ବ ସରକାର ଗଠନ କରିଥିଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସି । ସରକାର ପରିବର୍ତ୍ତନ ପରେ ଏସଡିସିକୁ ଭାଙ୍ଗିଦେଇଥିଲେ । ହେଲେ ଭାଙ୍ଗିବାର ୫ ମାସ ପରେ ରାୟଗଡ଼ା ଜିଲ୍ଲାରେ ଏସଡିସି ଅନୁଦାନରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିବା ଅଭିଯୋଗ ଆସିଛି ।
ରାୟଗଡ଼ା ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସି ଅନୁଦାନ ଆତ୍ମସାତ୍ ଅଭିଯୋଗ । ଏସଡିସି ଭାଙ୍ଗିବାର ୫ ମାସ ପରେ କୋଟି କୋଟି ଟଙ୍କାର କ୍ରୀଡ଼ା ସାମଗ୍ରୀ କିଣାଯାଇଥିବା ଅଭିଯୋଗ ଆଣିଛି ବିଜେଡି । କ୍ରୀଡ଼ା ସାମଗ୍ରୀର ବଜାର ଦର ୬୩ ଲକ୍ଷ ୫ ହଜାର ଟଙ୍କା ହୋଇଥିବା ବେଳେ ଏଗୁଡିକୁ ୨ କୋଟି ୪୦ ଲକ୍ଷ ୯୬ ହଜାର ଟଙ୍କାରେ କିଣାଯାଇଛି । ସେହିପରି ବାଦ୍ୟଯନ୍ତ୍ର ଯାହାର ବଜାର ଦର ୮୫ ଲକ୍ଷ ୫୦ ହଜାର ଟଙ୍କା ହେବ, ସେଗୁଡିକୁ ୨ କୋଟି ୯୯ ଲକ୍ଷ ଟଙ୍କାରେ କିଣାଯାଇଛି । ବିନା ଟେଣ୍ଡରରେ ଏହି ସାମଗ୍ରୀ ଗୁଡ଼ିକ କିଭଳି କିଣାଗଲା ? ଏସଡିସି ଭାଙ୍ଗିବା ପରେ କେମିତି ଖର୍ଚ୍ଚ ହେଲା ଟଙ୍କା ? ଯାହାର ଭିଜିଲାନ୍ସ ତଦନ୍ତ ଦାବି କରିଛି ବିଜେଡି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାୟଗଡ଼ା ଆଇଟିଡିଏ କର୍ତ୍ତୃପକ୍ଷ । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରି ମାସକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।