କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅଶୁଭ ଅକ୍ଟୋବର ମାସ । ପ୍ରତିବର୍ଷ ଏହି ମାସରେ ସ୍କ୍ରବ ଟାଇଫସ୍ରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । ଚଳିତବର୍ଷ ଏଥିରେ ୨ ଜଣଙ୍କ ଜୀବନ ଗଲାଣି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ କହୁଛି ଡରିବାର ଆଦୌ କାରଣ ନାହିଁ । ଚଳିତ ବର୍ଷ ସ୍ଥିତି ନିୟନ୍ତ୍ରଣରେ ଅଛି ।
ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା । ଚିଗର ପୋକ କାମୁଡ଼ାରୁ ହେଉଥିବା ଏହି ରୋଗରେ ଚଳିତ ବର୍ଷ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୪୬ ଜଣ ଆକ୍ରାନ୍ତ ଅଛନ୍ତି । ଖାସ୍ କରି ଅକ୍ଟୋବର ମାସରେ ଏହି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ସଚେତନ କରିବା ସହ ଚିଗର ପୋକକୁ ଦମନ କରିବା ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ସାଧାରଣତଃ ଏହି ଚିଗର ପୋକ ବୁଦା, ଜଙ୍ଗଲ ବା କ୍ଷେତ ମାନଙ୍କରେ ବର୍ଷା ଦିନ ଆରମ୍ଭରୁ ଥଣ୍ଡା ବଢିବା ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି । ଏହି ସମୟରେ ଚାଷୀ କ୍ଷେତ, ଜଙ୍ଗଲକୁ ଯିବା ବେଳେ ପୋକ କାମୁଡ଼ାର ଶିକାର ହୋଇ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥାନ୍ତି । ଏହି ଗ୍ରାଫ୍ ଏବେ ଉପରମୁହାଁ ହେବାର ଲାଗିଛି । ଯାହାକୁ ନେଇ ସାଧାରଣରେ କୋକୁଆ ଭୟ ଖେଳିଯାଇଛି ।
ଅନ୍ୟପଟେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ କହିଛନ୍ତି, ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ପଜିଟିଭ ଓ ମୃତ୍ୟୁହାର କମ୍ ରହିଛି । ନିଜ ଘର ଆଖପାଖକୁ ସ୍ୱଚ୍ଛ ରଖିବା ସହ ଜ୍ୱର ହେଲେ ତୁରନ୍ତ ଆସି ଚିକିତ୍ସା କରିବା ପାଇଁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/25/scrub-typhus-cases-2025-10-25-18-50-44.jpg)