କନକ ବ୍ୟୁରୋ : ତାତିକୁ ନେଇ ଚର୍ଚ୍ଚିତ ଝାରସୁଗୁଡ଼ା ଜିଲ୍ଲାରେ ଗଢ଼ି ଉଠିଛି ମାଳମାଳ ବେଆଇନ୍ ଇଟ୍ଟାଭାଟି । ଲହଣ୍ଡାବୁଡ଼, ଗଣ୍ଠିଆବୁଡ଼, ପଞ୍ଚପଡ଼ା, ଦଲକି, କୁଦୋପାଲିରେ ପ୍ରାୟ ୧ ହଜାରରୁ ଅଧିକ ଇଟାଭାଟି ହୋଇଛି । ସରକାରୀ ନିୟମାନୁସାରେ ଇଟା ଭାଟି ଚଳାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟ-ଟୁ ଅପରେଟର ଏବଂ ମାଟି ଉତ୍ତୋଳନ ପାଇଁ ଖଣି  ବିଭାଗର ଅନୁମତି ଆବଶ୍ୟକ । ହେଲେ ଏଠାରେ କୌଣସି ନିୟମ ମାନୁନାହାଁନ୍ତି ଇଟାଭାଟି ମାଲିକ । ମନଇଚ୍ଛା ମାଟି ତାଡ଼ି ପାଣି ଚୋରି କରି ପକାଇ ଚାଲିଛନ୍ତି ଇଟା । ମାଟି ଇଟାର ବହୁଳ ବ୍ୟବହାର ଯୋଗୁ ଜିଲ୍ଲାରେ ଫ୍ଲାଏଆସ୍ ଇଟାର ଚାହିଦା କମୁଛି । ତୁରନ୍ତ ବେଆଇନ ଇଟାଭାଟି ଉପରେ ରୋକ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

Advertisment

ଝାରସୁଗୁଡ଼ାରୁ ଉତ୍ପାଦିତ ଅବୈଧ ନାଲି ଇଟା ପଡ଼ୋଶୀ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ କରାଯାଉଛି । ଇଟା ମାଫିଆ, ଖଣି ବିଭାଗକୁ ହାତ କରି ଇଟାଭାଟି ପିଛା ଆଗୁଆ ୨୦ ହଜାର ଟଙ୍କା ଜରିମାନା କଟାଇ ଦେଉଛନ୍ତି । ଫଳରେ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କହିଛନ୍ତି ଝାରସୁଗୁଡା ଉପଜିଲ୍ଲାପାଳ ।

ଝାରସୁଗୁଡ଼ାରେ ମାଟି ଓ ମୋରମ୍‌ ଚୋରି ଧିରେଧିରେ ବଢ଼ିବାରେ ଲାଗିଛି । ସରକାରଙ୍କ ନିର୍ଦ୍ଦେଶ ପରେ ବି ଖଣି ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉନାହିଁ। ଯାହା ମାଫିଆଙ୍କ ସହ ଅସାଧୁ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ।