କନକ ବ୍ୟୁରୋ : ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସ୍କୁଲ । ସଂକ୍ରମଣର ଭୟ ଏବେ ବି ମନରେ ରହିଛି ତେଣୁ ଅଧିକ ସଂକ୍ରମିତ ଜିଲ୍ଲା ଯାଜପୁରରେ ୨୪ ଯାଏଁ ଓ ଭଦ୍ରକରେ ୨୨ ତାରିଖ ଯାଏଁ ସ୍କୁଲଗୁଡିକ ବନ୍ଦ ରହିବ । ଆଉ ସ୍ଥିତିକୁ ନଜରରେ ରଖି ଆଗକୁ ସ୍କୁଲ ଖୋଲାଯିବ କି ନାହିଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଏହି ଜିଲ୍ଲାରେ ଅଙ୍ଗନୱାଡି ଓ କଲେଜ ବି ବନ୍ଦ ରହିବ । ତେବେ ଶିକ୍ଷକମାନେ ସ୍କୁଲ ଆସି ବିଶୋଧନ ଓ ସଫେଇ କାମର ତଦାରଖ କରିବେ । କଟକ ଓ ଭୁବନେଶ୍ବରରେ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଗସ୍ତରେ ଆସୁଥିବାରୁ ସୁରକ୍ଷା ଓ ଭିଡ଼କୁ ଦୃଷ୍ଟିରେ ରଖି ଦୁଇ ସହରରେ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି ।

Advertisment

ଡାଇରିଆ ସଂକ୍ରମଣ ବ୍ୟାପିଥିବାରୁ ସ୍କୁଲଗୁଡିକରେ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏବେ ଚିନ୍ତାର କାରଣ ହୋଇଛି । ପିଇବା ପାଣି ଡାଇରିଆର ମୁଖ୍ୟ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ବ ଦିଆଯାଉଛି । ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପିଇବା ପାଣି ପିଇବେ । ଏଥିପାଇଁ ଏସଓପି ଦିଆଯାଇଛି । 

ସ୍କୁଲ ଖୋଲିବାକୁ ଏସ୍‌ଓପି  :

-ସ୍କୁଲରେ ୱାଟର୍‌ ପିୟୁରିଫାୟାର୍‌ ନଥିଲେ ପିଲାଙ୍କୁ ଫୁଟାପାଣି ଦେବାକୁ ନିର୍ଦ୍ଦେଶ

-ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ

-ହଷ୍ଟେଲରେ ବି ସମାନ ବ୍ୟବସ୍ଥା ଲାଗୁ ହେବ

-ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ବ

ଏହାଛଡା ସ୍ବଚ୍ଛତା ସହ ଅଭିଭାବକ ମଧ୍ୟ ସ୍କୁଲ ପରିବେଶ ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିପାରିବେ । ଯାଜପୁରକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାକୁ ବି ଡାଇରିଆ ବ୍ୟାପିଲାଣି । ତେଣୁ ସ୍ଥିତି ବିଗିଡ଼ିଲେ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଏବେ ବି କାହିଁକି ଅଧିକାଂଶ ସ୍କୁଲରେ ପିଲାଙ୍କୁ ସ୍ବଚ୍ଛ ପିଇବା ପାଣି ବ୍ୟବସ୍ଥା ହୋଇନି ? ୱାଟର୍‌ ପିୟୁରିଫାୟାର୍‌ ଲାଗିନଥିବା ସ୍କୁଲରେ ପାଣି ଫୁଟାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି କି ?