କନକ ବ୍ୟୁରୋ : ଗୁଣୁପୁର ବ୍ଲକର ମରମା ପଞ୍ଚାୟତ। ଦିନେ ମାଓବାଦୀଙ୍କ ଗଡ଼ ଥିଲା। ସରକାରୀ ବାବୁ ଓ ରାଜନେତାଙ୍କ ପାଦ ପଡୁନଥିଲା । ସମୟ କ୍ରମେ ସବୁ ବଦଳିଛି । କିନ୍ତୁ ବଦଳିନି ଶିକ୍ଷା ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ମାଗଣା ପୋଷାକ ଦିଆଯାଉଛି, ତଥାପି ପିଲାଏ ବିଦ୍ୟାଳୟକୁ ଆସୁନାହାନ୍ତି । ମରମାରେ ୫ଟି ପ୍ରାଥମିକ, ୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ପ୍ରାଥମିକ ବିଦ୍ୟାଳୟରେ କେଉଁଠି ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ହାତ ଗଣତି ପିଲାଙ୍କୁ ନେଇ ସ୍କୁଲ ଚାଲିଛି । ୧୯୯୦ରେ ସ୍ଥାପିତ ଉପର ଗୁମୁରିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଏବର୍ଷ କେହି ନାହାନ୍ତି । ବଡ଼ ବୁରଜୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ସମାନ ଅବସ୍ଥା । ଗତବର୍ଷ ୧୧ ଜଣ ଛାତ୍ରଛାତ୍ରୀ ଥିଲେ, ଏ ବର୍ଷ ଅଛନ୍ତି ୬ ଜଣ । ନାଡ଼ିମଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଆହୁରି ଦୟନୀୟ । ଏଠି ଜଣେ ବି ପିଲା ନାମ ଲେଖାଇ ନଥିବା ଜଣାପଡ଼ିଛି ।
ଆବାସିକ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ଥିବା ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ଏପରି ଅବସ୍ଥା ଉପୁଜିଛି । ଶିକ୍ଷା ବିଭାଗ ଏଥିପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ଶିକ୍ଷାବିତ୍ ମତ ରଖିଛନ୍ତି । ଏଥିସହ ଯେଉଁ ବିଦ୍ୟାଳୟରେ ପିଲା ନାହାଁନ୍ତି ସେଠାକାର ଶିକ୍ଷକଙ୍କୁ ଅନ୍ୟତ୍ର ନିଯକ୍ତି ଦେବାକୁ ସ୍ଥାନୀୟ ସରପଞ୍ଚ ସରକାରଙ୍କୁ ନିବେଦନ କରିଛନ୍ତି । ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ।
ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟ ଚାଲିଛି। ଅଥଚ ଶିକ୍ଷା ବିଭାଗ ଜାଣିପାରୁନି। ଏହା କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠିଛି ।