କନକ ବ୍ୟୁରୋ: ୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି । ଡାଇରିଆ ସ୍ଥିତି ଅଣାୟତ୍ତ ଥିବାରୁ ସ୍କୁଲ୍ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ । ତେବେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ଆସି ସ୍କୁଲ ପରିମଳ ବ୍ୟବସ୍ଥା ପରଖିବେ । ଡାଇରିଆ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଏହି ଆଧାରରେ ଯାଜପୁର ଜିଲ୍ଲାରେ ଶହ ଶହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୨୦ ତାରିଖରେ ସ୍କୁଲ୍ ଖୋଲିବାକୁ ଥିଲା । କେବଳ ଯାଜପୁରକୁ ଛାଡ଼ି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍କୁଲ୍ ଯେମିତି ସ୍ୱାଭାବିକ ଭାବରେ ଖୋଲିବା କଥା ସେମିତି ଖୋଲିବ ।
ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ବାନ୍ତି ବ୍ୟାପିବାରେ ଲାଗିଛି । ସମ୍ବଲପୁରରେ ଡାଇରିଆରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଧନକଉଡାର ଶ୍ରବଣ ଛୁରିଆ । ଝାଡାବାନ୍ତି ଯୋଗୁଁ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେହି ପଡ଼ାରେ ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ ହୋଇଛି । ଆଜି(ଗୁରୁବାର) ଜିଲ୍ଲା ସଦର ମେଡିକାଲରେ ୩ରୁ ୪ଜଣ ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଏଡିଏମଓ ଡାକ୍ତର ଅଶୋକ ଦାସ ।
ଝାଡ଼ାବାନ୍ତି ଓ ହଇଜାରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ସଫା ପଞ୍ଚାୟତ ସୁଆଁରୀ ଗାଁରେ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ଜଣ ଆକ୍ରାନ୍ତ ହୋଇଥିଲେ । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା । ରୋଗକୁ ନିୟନ୍ତ୍ରଣ କରିବା ପାଇଁ ୪ଦିନ ହେବ ବ୍ଲକ ପ୍ରଶାସନ ଓ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ଯେଉଁ କୂଅ ଓ ନଳକୂଅ ପାଣି ଦୂଷିତ ହୋଇଥିଲା ସେଗୁଡ଼ିକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ରାଜ୍ୟ ଜନସ୍ଵାସ୍ଥ୍ୟ ଅଧିକାରୀ ଓ କେନ୍ଦ୍ର ପକ୍ଷରୁ ଏକ ତିନି ଜଣିଆ ଟିମ୍ ଗାଁରେ ପହଞ୍ଚିଥିଲେ । ଗାଁର ସମସ୍ତ ଜଳଉତ୍ସ ଗୁଡ଼ିକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ପାଣି ଫୁଟାଇ ପିଇବା ଓ ଟ୍ୟାଙ୍କର ଯୋଗେ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ବ୍ୟବହାର କରିବାକୁ କୁହାଯାଇଛି । ଏବେ ଆଉ ରୋଗୀଙ୍କ ସଂଖ୍ୟା ବଢିଥିବା ନ ଥିବାବେଳେ ରୋଗ ନିୟନ୍ତ୍ରଣ ରହିଥିବା ଓ ରୋଗୀ ଚିହ୍ନଟ ହେଲେ ଡାକ୍ତରୀ ଟିମ୍ ଓ ମେଡିକାଲ ପ୍ରସ୍ତୁତ ଥିବା କେନ୍ଦ୍ରୀୟ ଟିମ୍ର ସଦସ୍ୟ ଡାକ୍ତର ଭାଗିରଥୀ ଦ୍ୱିବେଦୀ କହିଛନ୍ତି ।