କନକ ବ୍ୟୁରୋ: କନକ ବ୍ୟୁରୋ: ମନମାନି କରୁଛନ୍ତି ଘରୋଇ ସ୍କୁଲ । ପାଠପଢ଼ା ନାଁରେ ଲୁଟୁଛନ୍ତି ଟଙ୍କା। ଭୁବନେଶ୍ବର ରସୁଲଗଡର କାୟନାତ ଓ କଶିନା । ବାପା ମାଙ୍କ ସାଥିରେ ରହନ୍ତି ଏହି ଜାଅଁଳା ଭଉଣୀ। ଖୋଲିଲାଣି ସ୍କୁଲ । ଆରମ୍ଭ ହୋଇଗଲାଣି ପାଠପଢା। କିନ୍ତୁ ଘରୋଇ ସ୍କୁଲର ମନମାନି ପାଇଁ ସ୍କୁଲ ଯିବାରୁ ବଞ୍ଚିତ ହୋଇଛନ୍ତି କାୟନାତ ଓ କଶିନା । ଦୁଇ ବର୍ଷ ତଳେ ଶିକ୍ଷା ଅଧିକାର ଆଇନ ଅଧିନରେ ଘରୋଇ ସ୍କୁଲରେ ମାଗଣାରେ ପାଠ ପଢିବାକୁ ସୁଯୋଗ ପାଇଥିଲେ । ଘର ପାଖରେ ଥିବା ଏକ ଘରୋଇ ସ୍କୁଲରେ ଦୁଇ ବର୍ଷ ପଢିଲେ । କିନ୍ତୁ ଏହି ସ୍କୁଲ ଏବେ ବନ୍ଦ ହୋଇ ଏହାର ଶାଖା ସ୍କୁଲରେ ମିଶିଯାଇଛି । ଫଳରେ ମାଗଣାରେ ପଢୁଥିବା ଦୁଇ ଭଉଣୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏମାନଙ୍କୁ ଆଗକୁ ପଢିବାକୁ ହେଲେ ୧୨ କିଲୋମିଟର ଯିବାକୁ ପଡିବ । ଘରୋଇ ସ୍କୁଲର ଏଭଳି ମନମାନି ଅଭିଭାବକଙ୍କୁ ଚିନ୍ତାରେ ପକାଉଛି ।
ଘରୋଇ ସ୍କୁଲର ଏହି ଗୋଟିଏ ସମସ୍ୟା ନୁହେଁ, ଏମିତି ଅନେକ ମନମାନି ଅଭିଭାବକଙ୍କୁ ସମସ୍ୟାରେ ପକାଇଛି । ଶିକ୍ଷା ବ୍ୟବସ୍ଥାରେ ଏଭଳି ଅନେକ ସମସ୍ୟା ନେଇ ଜାତୀୟ ମାନବାଧିକାର କମିଶନର ସଦସ୍ୟଙ୍କ ପାଖରେ ଫେରାଦ ହୋଇଛନ୍ତି ଅଭିଭାବକ। ଓଡିଶା ଅଭିଭାବକ ସଂଘ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଶୁଭିଥିଲା ଏମିତି ଅନେକ ସ୍ୱର । ଜାତୀୟ ମାନବାଧିକାର କମିଶନ ର ସଦସ୍ୟ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କୁ ପ୍ରାୟ ୪ ଘଂଟା ଧରି ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ଅବଗତ କରାଇଛନ୍ତି ଅଭିଭାବକ । ଶିକ୍ଷା ବ୍ୟବସ୍ଥା ଆଉ ପୂର୍ବଭଳି ନାହିଁ, ବରଂ ଏହା ବ୍ୟବସାୟୀକରଣ ହୋଇଯାଇଥିବା ସେ କହିଛନ୍ତି ।