School Photograph: (kanak news)
କନକ ବ୍ୟୁରୋ :ଅବ୍ୟବସ୍ଥା ଘେରରେ ଚାଲିଛି ବିଦ୍ୟାଳୟରେ ପାଠ ପଢ଼ା। ପିଲା ବସିବାକୁ ଶ୍ରେଣୀଗୃହ ନାହିଁ। ବନବିଭାଗ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଅଭିଯୋଗ କଲେ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି ପ୍ରାଶାସନକ ଅଧିକାରୀ । ପଢ଼ିବାକୁ ଘର ନାହିଁ..ବିପଦ ସଙ୍କୁଳ ପୁରୁଣା ଘର ଭାଙ୍ଗିଗଲା, ନୂଆ ଦେବେ ବୋଲି କହି ଭୁଲିଗଲେ । ଆଉ ଏ ହେଉଛି ପ୍ରାଶାସନିକ ଅଣଦେଖାର ଅସଲ ଚିତ୍ର । ଯଦି ଏମିତି ହୁଏ ପାଠପଢ଼ା, ତେବେ ସରକାରଙ୍କ ‘ସଭିଏଁ ପଢ଼ିନ୍ତୁ, ସଭିଏଁ ବଢ଼ନ୍ତୁ’ ନାରା କେତେ ସଫଳ ? ତାହା ଜଳଜଳ ହୋଇ ଦେଖାଯାଉଛି ।
ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ବିଭିନ୍ନ ଯୋଜନା ହୋଇଛି । ମାଗଣା ବହି, ସାଇକେଲ୍, ପୋଷାକ ସହ ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଟିଏ ପଢ଼ିବା ପାଇଁ ଯାହା ନିହାତି ଜରୁରୀ, ତାହା ନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ଆନୁଗୁଭା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ବସିଛନ୍ତି । ସେ ପୁଣି ବନ ସୁରକ୍ଷା ସମିତିର । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏମିତି ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି । ସମିତିର ରୋଷେଇ ଘରକୁ ବିଦ୍ୟାଳୟର କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଛନ୍ତି ଶିକ୍ଷକ ।
ଅଧିକ ପଢ଼ନ୍ତୁ--ସରିଲା ନୀତୀଶ ସରକାରଙ୍କ ଶପଥ ସମାରୋହ, ଜାଣନ୍ତୁ କେଉଁ ଦଳରୁ କିଏ ହେଲେ ମନ୍ତ୍ରୀ ?
୨୦୦୨ରେ ସ୍ଥାପିତ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଠାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିକୋଣରୁ ୨୦୨୩ରୁ ଏଠାରେ ଶିକ୍ଷାଦାନ କରାଯାଉନାହିଁ। ୬ ମାସ ଗଛ ତଳେ ପାଠ ପଢ଼ାଗଲା । ଏବର ଠିକଣା ବନ ବିଭାଗ ବାରଣ୍ଡା । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ବି ଅସୁବିଧା ହେଉଛି । ଏନେଇ ବ୍ଲକ ପ୍ରଶାସନ ସମେତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅନେକଥର ଜଣାଇଛନ୍ତି ଅଭିଭାବକ । ପୂର୍ବରୁ ପ୍ରାଶାସନିକ ଅଧିକାରୀ ଆସି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିଥିଲେ । ହେଲେ ପ୍ରତିଶ୍ରୁତିରେ ଅଟକିଯାଇଛି ଶ୍ରେଣୀଗୃହ ନିର୍ମାଣ । ତୁରନ୍ତ ଏହି ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
Follow Us