କନକ ବ୍ୟୁରୋ: ଶିକ୍ଷାକୁ ନେଇ ବଡ଼ ବଡ଼ ବାହାସ୍ପଟ ମାରୁଛନ୍ତି ସରକାର । କିନ୍ତୁ ଆଜି ବି ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ। ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ହଇରାଣ ହେଉଛନ୍ତି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର ଭିତରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ଅଭାବରୁ ପିଲା ଠିକ୍ରେ ପାଠ ପଢି ପାରୁନଥିବା ଅଭିଯୋଗ ହୋଇଛି ।
ଶିକ୍ଷାର ବିକଳ ଚିତ୍ର!
ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀଗୃହ
ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ
କଣ୍ଟାବାଞ୍ଜିର ଅଶୋକ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ। ବାଲବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୦ ଜଣ ପିଲା ପାଠ ପଢ଼ୁଛନ୍ତି। ଅଥଚ ପିଲା ବସିବାକୁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଅଧପନ୍ତରିଆ ହୋଇପଡ଼ିଛି। ଫଳରେ ୨ଟି ଘରେ ବସି ପାଠ ପଢ଼ୁଛନ୍ତି ୬ଟି ଶ୍ରେଣୀର ପିଲା। ଶିକ୍ଷକ ବି ଏଠି ଅଭାବ। ୨ଜଣ ଶିକ୍ଷକରେ କଷ୍ଟେମଷ୍ଟେ ଚାଲିଛି ଶିକ୍ଷାଦାନ।
ଅଧପନ୍ତରିଆ ଅତିରିକ୍ତ ଶ୍ରେଣୀଗୃହ
ପିଲାଙ୍କ ଟଙ୍କା ଖାଇଗଲେ ଠିକାଦାର!
ଗତ ୨୦୨୦-୨୧ରେ ଏସ୍ପିଏଫ୍ ଯୋଜନାରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଅନୁଦାନ ଆସିଥିଲା। କୌଣସି କାରଣରୁ ତାହା ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ପିଲାଙ୍କ ପାଇଁ ଆସିଥିବା ଟଙ୍କାକୁ ଠିକାଦାର ଖାଇ ଦେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଅନ୍ୟପଟେ ଶ୍ରେଣୀଗୃହ କାମ ସମ୍ପୂର୍ଣ୍ଣ କରି ବ୍ୟବସ୍ଥିତ ଢଙ୍ଗରେ ପଢ଼ିବାରେ ସାହାଯ୍ୟ କରୁନ୍ତୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ପିଲା। ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଏନେଇ ବାରମ୍ବାର ସ୍କୁଲ ପରିଚାଳନା କମିଟି ଓ ଶିକ୍ଷା ବିଭାଗକୁ ଜଣାଇଥିଲେ ସୁଦ୍ଧା କୌଣସି ଫଳ ମିଳୁନି।
ସହର ମଝିରେ ଥିବା ବିଦ୍ୟାଳୟ ଏମିତି ଅବହେଳିତ, ତାହେଲେ ଗାଁ ଗଣ୍ଡାରେ ଥିବା ସ୍କୁଲ୍ର ଅବସ୍ଥା କ’ଣ ହେଉଥିବ। ଏ ଖବର ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଓ ଦାୟିତ୍ବବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/odisha-school-2026-02-21-18-08-55.jpg)