କନକ ବ୍ୟୁରୋ: ଖବର ବାଜିବା ପରେ ପଦକ୍ଷେପ ଗ୍ରହଣ କଲା ଶିକ୍ଷା ବିଭାଗ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ମରମା ପଞ୍ଚାୟତର ଗୁମୁରିଗୁଡ଼ା ଓ ନାଦିମଗୁଡ଼ା ବିଦ୍ୟାଳୟରେ ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟ ଚାଲିଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗୁମୁରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଧିକ ଆଫରିକଙ୍କୁ ଗୁମୁରିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନାଦିମଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନରେଶ ଶବରଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସେନରେ ସ୍ଥାନାନ୍ତର କରିଛନ୍ତି ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଅବସ୍ଥିତ ମରମା ପଞ୍ଚାୟତ । ଏହି ପଞ୍ଚାୟତରେ ୫ଟି ପ୍ରାଥମିକ ବିଦ୍ୟାଳୟ ଥିବାବେଳେ କେଉଁଠି ତିନିରୁ ଚାରି ଜଣ ଛାତ୍ରଛାତ୍ରୀରେ ସ୍କୁଲ ଚାଲିଛି ତ ପୁଣି କେଉଁ ସ୍କୁଲରେ ଛାତ୍ରଛାତ୍ରୀ ନାହାନ୍ତି । ଉପର ଗୁମୁରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ନାଦିମଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ଜଣେ ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନଥିଲେ । ଏହି ଦୁଇ ବିଦ୍ୟାଳୟରେ ଜଣେ ଜଣେ ଶିକ୍ଷକ ଥିବା ବେଳେ ବିନା ବିଦ୍ୟାର୍ଥୀରେ ଚାଲିଥିଲା ବିଦ୍ୟାଳୟ ।