କନକ ବ୍ୟୁରୋ : ସ୍କୁଲରେ ତାଲା, ଗଛ ମୂଳେ ପିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଦୁଗୁଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି ଅଭିଭାବକ । ଯାହାଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତାକଡ଼ରେ ଥିବା ଏକ ଗଛ ତଳେ ବହି ବସ୍ତାନି ଧରି ବସିଛନ୍ତି । ବିଦ୍ୟାଳୟରେ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୮ ଜଣ ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଆଗରୁ ବଦଳି ହୋଇଛନ୍ତି ହେଲେ ତାଙ୍କ ପ୍ରତି ବଦଳରେ କୌଣସି ଶିକ୍ଷକ ଆସି ନାହାନ୍ତି । ପୁଣି ଆଉ ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରିଛନ୍ତି ଅଭିଭାବକ । ଖବର ପାଇ ଉଦଳା ବିଇଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଅନ୍ୟପଟେ ବଦଳି ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଯୋଗଦାନ କରୁଥିବା କହିଛନ୍ତି ବିଇଓ ।