କନକ ବ୍ୟୁରୋ : ଭିତ୍ତି ଭୂମିର ବିକାଶ ପାଇଁ ପୂର୍ବ ସରକାର ୫ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଆଜି ବି ଅନେକ ବିଦ୍ୟାଳୟର ରୂପାନ୍ତରଣ କାମ ଅଧପନ୍ତରିଆ ହୋଇ ରହିଥିବା ବେଳେ କେଉଁଠି ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢୁଛନ୍ତି ତ ଆଉ କେଉଁଠି ପିଲାଏ ଶୌଚ ପାଇଁ ଏଣେତେଣେ ଯାଉଛନ୍ତି । ଏଭଳି ଏକ ବିଦ୍ୟାଳୟ ହେଉଛି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ଜିଲା ଗୋଷାଣୀ ବ୍ଲକର ବି.ସୀତାପୁର ସ୍ଥିତ ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ । ଏଠାରେ ଶ୍ରେଣୀ କକ୍ଷ ଅଭାବରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢୁଛନ୍ତି ।
ଗଜପତି ଜିଲା ବି.ସୀତାପୁରରେ ଥିବା ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ । ଷଷ୍ଠରୁ ଦଶମ ଶ୍ରେଣୀର ଦେଢଶହରୁ ଅଧିକ ପିଲା ଅଛନ୍ତି । ହେଲେ ରହିଛି ମାତ୍ର ୪ଟି ଶ୍ରେଣୀ ଗୃହ । ସେଥିମଧ୍ୟରୁ ଦୁଇଟି ଘରେ ସ୍କୁଲ କାମ ଚାଲିଥିବା ବେଳେ ପିଲାମାନେ ବାରଣ୍ଡାରେ ବସି ପଢୁଛନ୍ତି । ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଖୋଲା ଆକାଶ ତଳେ କରାଯାଉଛି । ବାରମ୍ବାର ଅଭିଯୋଗ ହେବାରୁ ବିଦ୍ୟାଳୟର ଉନ୍ନତି ପାଇଁ ୫୧ଲକ୍ଷ ଟଙ୍କା ଗୋଷାଣି ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା । କାମ ଆରମ୍ଭ ମଧ୍ୟ ହୋଇଥିଲା । ହେଲେ କିଛି ଦିନ କାମ ହେବା ପରେ ବନ୍ଦ ହୋଇଯାଇଥିଲା । ଏହା ଭିତରେ ସରକାର ବଦଳିଛନ୍ତି, କିନ୍ତୁ ସ୍କୁଲ ସମସ୍ୟାର ସମାଧାନ ହୋଇପାରିନାହିଁ । ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଏଁ ଅଭିଯୋଗ ହେଉଛି । ହେଲେ ସମସ୍ୟାର ସମାଧାନ ହୋଇପାରୁନି ।
ଘର ନଥିବାରୁ ପିଲାଙ୍କ ପଢିବାରେ ସମସ୍ୟା ଉପୁଜିଛି । ସ୍କୁଲ ରୂପାନ୍ତରଣ ପାଇଁ ଆସିଥିବା ପାଣ୍ଠି ବିଡିଓଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ କାମ ଆଜି ଯାଏଁ କାହିଁକି ହେଉନି ତାକୁ ନେଇ ଉଠିଛି ପ୍ରଶ୍ନ? ବିଦ୍ୟାଳୟର ସମସ୍ୟା ପ୍ରତି ସମସ୍ତେ ଅବଗତ ଥିବାବେଳେ ପ୍ରତିଥର ଭଳି ଚଳିତଥର ମଧ୍ୟ ସମାଧାନର ମିଳିଛି ପ୍ରତିଶ୍ରୁତି । ପାଣ୍ଠି ଅଭାବରୁ ସ୍କୁଲ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ଏଠାରେ ପାଣ୍ଠି ଥାଇ ମଧ୍ୟ ବର୍ଷେରୁ ଅଧିକ ସମୟ ହେଲାଣି ବିଦ୍ୟାଳୟର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ ।