କନକ ବ୍ୟୁରୋ : ଛାତ୍ରବୃତ୍ତିରେ ମହାଦୁର୍ନୀତି। ସାଧାରଣ ବର୍ଗର ପିଲାଙ୍କୁ ଏସସି, ଏସଟି ଦର୍ଶାଇ ସରକାରୀ ତହବିଲରୁ ଲୁଟ କରାଯାଇଛି । ବଡ଼କଥା ହେଉଛି ପଶ୍ଚିମବଙ୍ଗର ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଦିଆଯାଇଛି । ସୁନ୍ଦରଗଡରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ପ୍ରଶ୍ନ ଉଠୁଛି ଏହି ହରିଲୁଟ ପଛରେ ସାଇବର ଠକଙ୍କ ହାତ ଅଛିନା ବିଭାଗ ର କିଛି ବଡ ମୂଷାଙ୍କ ସଂପୃକ୍ତି ଅଛି ।
ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସ୍କଲାରସିପର ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି । ଏସସି, ଏସଟି ନାଁରେ ବ୍ରାହ୍ମଣ ଓ ସାଧାରଣ ବର୍ଗର ପିଲାଙ୍କୁ ଛାତ୍ରବୃତ୍ତି ଦିଆଯାଇଛି।୨୦୨୧-୨୨ ଆର୍ଥିକ ବର୍ଷରେ ଅନସୂଚିତ ଜାତି ଓ ଜନଜାତି ପିଲା ପାଇଥିବା ସ୍କଲାରସିଫ ତାଲିକାରେ କେବଳ ସୁନ୍ଦରଗଡ଼ ସହରର ପବ୍ଲିକ ସ୍କୁଲର ୫୫ଜଣ ପିଲାଙ୍କ ତାଲିକା ରହିଛି ।
କ୍ରମିକ ନମ୍ବର ୩୯ କୁ, ନାଁ ଅରିନ ନନ୍ଦ, ଜାତି ଉଲ୍ଲେଖ ରହିଛି ଏସସି, ମୋବଇଲ ନମ୍ବର, ସ୍କୁଲ ନାଁ, ଆକାଉଣ୍ଟ ନଂବର ବି ଉଲ୍ଲେଖ ରହିଛି । କିନ୍ତୁ ଅରିନ ଜାତିରେ ବ୍ରାହ୍ମଣ । କେବଳ ଅରିନ ନନ୍ଦ ନୁହେଁ, ଛାତ୍ରବୃତ୍ତି ପାଇଥିବା ୫୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ବି ଏସସି, ଏସଟି ପିଲା ନାହାନ୍ତି ।
ଡାକ୍ତରୀ ପାଠ ପଢୁଥିବା ଆରିନ ତାଙ୍କ ନାଁରେ କିଏ ଛାତ୍ରବୃତ୍ତି ଟଙ୍କା ନେଇଥିବା ଜାଣିବା ପରେ ଖୋଳତାଡ କରିଥିଲେ । ଆରିନ ସ୍କୁଲ କର୍ତ୍ତୃପକ୍ଷ ଓ ବ୍ୟାଙ୍କରେ ପଚରାଉଚରା କରିବା ପରେ ଟଙ୍କା ପଶ୍ଚିମବଙ୍ଗର ସାହେର ବାନୋଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା । ଏନେଇ ସ୍କୁଲ କର୍ତ୍ତୁପକ୍ଷ ଥାନାରେ ଏତଲା ଦେବା ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଖୋଳତାଡ଼ କରିବାରୁ କେବଳ ଗୋଟିଏ ସ୍କୁଲର ୫୫ଟି ଛାତ୍ରଛାତ୍ରୀଙ୍କ ନାଁରେ ଠକେଇ ହୋଇଥିବା ଜଣାପଡିଛି । ଏନେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ସୁନ୍ଦରଗଡ଼ ସହରର ଗୋଟିଏ ପବ୍ଲିକ ସ୍କୁଲର ୫୫ଜଣ ପିଲାଙ୍କ ନାଁରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗଠାରୁ ୨ ଲକ୍ଷ ୨୧ ହଜାର ଟଙ୍କା ଛାତ୍ରବୃତ୍ତି ଠକେଇ କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ପୂରା ଜିଲ୍ଲାରୁ କେତେ ଓ ସାରା ରାଜ୍ୟରୁ କେତେ ଠକେଇ ହୋଇଛି ? ପୋର୍ଟାଲରେ ପିଲାଙ୍କ ଆକାଉଣ୍ଟ ନଂବର ବଦଳାଇ ଟଙ୍କା ଲୁଟର ଏହି ସ୍କାମ ଚାଲିଥିବା ଅଭିଯୋଗ ହେଉଛି । ଏହା ସାଇବର ଠକଙ୍କ କାମ ? ନା ବିଭାଗର ବଡମୂଷା ଖୋଳ କରୁଛନ୍ତି ? ଏହାର ତଦନ୍ତ ଜରୁରୀ ହୋଇପଡ଼ିଛି ।