କନକ ବ୍ୟରୋ:  ମା’ର ଫଟୋକୁ ଧରି ଏମିତି ଗୁଣି ହେଉଛି ନାତି ଜୟ  । ଆପଣାର ସମସ୍ତଙ୍କୁ ହରାଇବା ପରେ ବୁଢି ମା’ଟା ତା’ର ଏକମାତ୍ର ସାହା ଥିଲା । ରାତି ପାହିଲେ ନଇଁ ନଇଁ ଯାଇ ବାର ଦୁଆର ବୁଲି ମାଗିଯାଚି ଆଣି ତା’ ପେଟରେ ଦାନା ଦିଟା ପକାଉଥିଲା । ସାହି ପଡିଶାଙ୍କୁ ହାରି ଗୁହାରୀ ହୋଇ ଟଙ୍କା କେଇଟା ମାଗି ଆଣି ତାକୁ ପାଠ ପଢାଉଥିଲା । କଷ୍ଟ ହେଉଥିଲେ କୋଳରେ ଶୁଆଇ ମୁଣ୍ଡ ଆଉଁଷି ଦେଉଥିଲା । ହେଲେ ସେ ହାତ ଟା ବି ଏ ନାବାଳକ ମୁଣ୍ଡ ଉପରୁ ଉଠିଗଲା । ଏବେ ସେ ଅସହାୟ  । ଚାରିଆଡ ଯେମିତି ତା’ ପାଇଁ ଅନ୍ଧାର । କ’ଣ ଖାଇବ, କୋଉଠି ରହିବ, କୁଆଡେ ଯିବ, କେମିତି ବଞ୍ଚିବ ତାକୁ କିଛି ବୁଦ୍ଧିବାଟ ଦେଖାଯାଉନି ।
 
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଖଡିପାଳ ଗାଁର ଜୟଦେବ ବିଶ୍ୱାଳ ।  ଜନ୍ମରୁ ଦୁଃଖ ପିଛା ଛାଡୁନି । ଜୟଦେବଙ୍କ ମା’ ସେହି ଗାଁର ଜଣଙ୍କୁ ବିବାହ କରିଥିଲେ । କିଛି ମାସ ସବୁ ଠିକ ଚାଲିଲା । କୋଳକୁ ପୁଅ ଜୟ ଆସିଲା । ହେଲେ ହଠାତ୍ କାହାକୁ କିଛି ନକହି ବାପା ସେମାନଙ୍କୁ ଛାଡି କେଉଁଆଡେ ଚାଲିଗଲେ । ବାଧ୍ୟ ହୋଇ କଅଁଳା ଛୁଆଟାକୁ ଧରି ବାପ ଘରକୁ ଚାଲିଆସିଲେ ମା’ ନମିତା  । ପାଖ ସ୍କୁଲରେ ରୋଷେୟା ଭାବେ କାମ କରି ଚଳୁଥିଲେ । ହେଲେ ସେତକ ବି ବିଧି ସହିଲାନି । ହଠାତ୍ ମା’ଙ୍କ ମୁଣ୍ଡ ଖରାପ ହୋଇଗଲା । ସବୁ ବୋଝ ବୁଢି ଆଇ ମା’ଙ୍କ ମୁଣ୍ଡରେ । ତଥାପି ଦଦରା ଦେହଟାରେ ଘର ଘର ବୁଲି ମାଗିଯାଚି ପାଗେଳି ଝିଅ ଆଉ କୁନି ନାତିଟାକୁ ପାଳିଲେ । ସକାଳୁ କାହାର କେଉଁ ଚିନ୍ତା ବୁଢି ଆଈର କିନ୍ତୁ କୋଟିଏ ଚିନ୍ତା ,କେମିତି କାହାଠାରୁ କ’ଣ ଦିଟା ଆଣିଲେ ପିଲାଟା ପେଟରେ ଦାନା ପଡିବ । ଅନ୍ୟ କଷ୍ଟ କଥା ତ ନକହିବା ଭଲ । ରହିବାକୁ ନିଜର ବୋଲି ଘରଟେ ନାହିଁ ଯେ ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି । ପରହାତ ଟେକାରେ ଚାଲିଛି ଜୀବନ । ହେଲେ କିଏ କେତେ ଦିନ ଦେବ?

Advertisment

ଭାରି ଦୁଃଖ ଏ ଜୟର ଜୀବନ ।  ମା’ ପାଗେଳି ହୋଇଯିବା ପରେ ଆଈ ମା’ ହିଁ ଥିଲା ତାର ସବୁକିଛି । ହେଲେ ଦଇବ ତାକୁ ବି ଡାକିନେଲା । ଏବେ ଆଉ ତା’ ପାଇଁ କେହି ନାହିଁ । ଏବେ ଖାଲି ଆଈ ମା’ର ଫଟୋଟାକୁ ଦେଖି ବାଉଳି ହେଉଛି ନାତି ଜୟଦେବ । ସବୁଠୁ ବଡ କଥା ହେଲା , ପାଠରେ ବେଶ ଆଗୁଆ ଜୟଦେବ । ଆଉ କେଇଟା ଦିନ ପରେ ମାଟ୍ରିକ ପରୀକ୍ଷା । ହେଲେ ଏଭଳି ସ୍ଥିତିରେ କ’ଣ କରିବ କ’ଣ ନାହିଁ ତା’ ମୁଣ୍ଡରେ କିଛି ବୁଦ୍ଧି ପଶୁନି । ଏ ସମୟରେ ଜୟକୁ ଦରକାର ସରକାରୀ ସହାୟତା...

ଜୟଦେବ ଆଜି ସର୍ବହରା । ସବୁ କିଛି ହରାଇବା ପରେ ବି ମନରେ ତା’ର ଟିକେ ଆଶା  କେଉଁଠି ନା କେଉଁଠି ଉଙ୍କି ମାରୁଛି । କିଏ ଟିିକେ ତାକୁ ସାହାଯ୍ୟର ହାତ ବଢାନ୍ତା କି , ସେ ପାଠ ପଢନ୍ତା, ବଞ୍ଚିବାକୁ ରାହା ପାଆନ୍ତା  । ଦୃଢ ବିଶ୍ୱାସ ଜୟଦେବର ଏ ଯନ୍ତ୍ରଣାଭରା ଜୀବନ କାହାଣୀ ଜାଣିବା ପରେ ଦେଖିବା ପରେ ସ୍ଥାନୀୟ ପ୍ରଶାସନ ଓ ସରକାର ନିଶ୍ଚୟ ସାହାଯ୍ୟର ହାତ ବଢାଇବେ, କଢଟେ ଶୁଖି ଜଡିଯିବା ପୂର୍ବରୁ ଫୁଲ ହୋଇ ପୁଟିବାର ସୁଯୋଗ ଦେବେ ।