କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଗାଁର ବିଚିତ୍ର ହେହେରା । ଜଣେ ନିଆରା ଚିତ୍ରଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ପୂଜା ମଣ୍ଡପର ଭିତର ସାଜସଜା ପାଇଁ ବ୍ୟବହାର ହେଉଥିବା ସିନେରି ପେଣ୍ଟିଂ କରନ୍ତି ବିଚିତ୍ର । ପୂଜା ସମୟରେ ହିଁ ତାଙ୍କର ବେପାର ବେଶ୍‌ ଧୁମଧାମରେ ଚାଲିଥାଏ । ଏହି କାମ ଦ୍ବାରା ସେ ନିଜେ ରୋଜଗାର କରିବା ସହ ଅନ୍ୟ ୫ରୁ ୬ଜଣ ଯୁବକଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି । ବିଶେଷକରି ଗଣେଶ ପୂଜା ଠାରୁ ଏହି କାମ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ରାଜମହଲ, ମନ୍ଦିର, ନଦୀରେ ଡଙ୍ଗା ଚାଲୁଥିବାର ଚିତ୍ର , ପାହାଡ଼ ଓ ଜଙ୍ଗଲ ଇତ୍ୟାଦି ସାଜସଜ୍ଜା ସହିତ ସିନେରି ତିଆରି କରିଥାନ୍ତି  ବିଚିତ୍ର । ଏଥିପାଇଁ ବିଚିତ୍ରଙ୍କ ନିକଟକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅର୍ଡର ମିଳିଥାଏ । ୫ ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ବେପାର ହୋଇଥାଏ । 

Advertisment

ବିଚିତ୍ର ୧୯୯୦ ମସିହାରୁ ଏହି ବୃତ୍ତି ସହିତ ଜଡ଼ିତ । ୩୫ ବର୍ଷ ହେଲା ଏହାକୁ ପେସା ଓ ନିଶା କରିଛନ୍ତି । ଗ୍ରାଜୁଏସନ୍ ଶେଷ କରିବା ପରେ ସେ ଚାକିରି ପଛରେ ନପଡ଼ି ପ୍ରଥମେ ମାଟିରେ ମୂର୍ତ୍ତି ଗଢ଼ୁଥିଲେ । ପରେ ଏହି କାମ ଦ୍ବାରା ସେ ଅନୁପ୍ରାଣିତ ହେଲେ । ପୂଜା ମଣ୍ଡପ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିବା ପଟିଲ ଓ କପଡ଼ାରେ ସାଜସଜ୍ଜା ଓ ସିନେରି ତିଆରି କରି ବେଶ୍‌ ଭଲ ରୋଜଗାର କରୁଛନ୍ତି । ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ା ଜିଲ୍ଲା ସହିତ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ମଣ୍ଡପ ସାଜ୍ଜସଜା ପାଇଁ ସେ କାମ କରିଛନ୍ତି । ଏପରିକି ଦିଲ୍ଲୀରେ ମଧ୍ୟ ତାଙ୍କ ହାତ ତିଆରି କଳା ପ୍ରଦର୍ଶିତ ହୋଇଛି । ବିଚିତ୍ରଙ୍କ ଏଭଳି ନିଆରା କଳାକୃତି ଅନ୍ୟମାନଙ୍କ ପ୍ରେରଣା ପାଲଟିଛି ।