ବଡ ମେଡିକାଲର ବିକଳ ବ୍ୟବସ୍ଥା, ରୋଗୀ ହେଉଛନ୍ତି ହଟହଟା । ସରପ୍ରାଇଜ ଭିଜିଟରେ ସାମ୍ନାକୁ ଆସିଲା ସତ

ଏସସିବି ମେଡ଼ିକାଲକୁ ସରପ୍ରାଇଜ ଭିଜିଟ୍ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୭ଜଣିଆ ଟିମ୍ । କମିଟିର ପରିଦର୍ଶନ ସମୟରେ ବଡ ମେଡିକାଲର ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ

sofia

କନକ ବ୍ୟୁରୋ: ଏସସିବି ମେଡ଼ିକାଲକୁ ସରପ୍ରାଇଜ ଭିଜିଟ୍ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୭ଜଣିଆ ଟିମ୍ । କମିଟିର ପରିଦର୍ଶନ ସମୟରେ ବଡ ମେଡିକାଲର ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ବିଧାୟିକାଙ୍କୁ ଡାକି ସମସ୍ୟା ବାବଦରେ ଅବଗତ କରିବା ପରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସୋଫିଆ ଫିର୍ଦ୍ଦୋସ।

  • ବଡ ମେଡିକାଲର ବିକଳ ବ୍ୟବସ୍ଥା
  • ରୋଗୀ ହେଉଛନ୍ତି ହଟହଟା
  • ଦିନ ବିତୁଛି, ରିପୋର୍ଟ ମିଳୁନି
  • ସରପ୍ରାଇଜ ଭିଜିଟରେ ସାମ୍ନାକୁ ଆସିଲା ସତ

ବଡ଼ ବଡ଼ ଗାଡ଼ିରେ ଆସିଲେ କ'ଣ ହେବ? ଗରିବ ଲୋକ ତ ଏଠାରେ ଏମିତି ପଡି ପଡି ମରିଯିବେ । ଆଗ ସମସ୍ୟାର ସମାଧାନ କର । ବିଧାନସଭାର ଷ୍ଟାଣ୍ଡିଂ କମିଟି ବଡମେଡିକାଲ ପରିଦର୍ଶନ ବେଳେ ଖୁବ୍ ଜୋରରେ ଏମିତି କିଛି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ରୁନି ପ୍ରଧାନ । ରୁନିଙ୍କ ଅଭିଯୋଗ ମଧ୍ୟ ମିଛ ନୁହେଁ। ବଡ ମେଡିକାଲକୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ କୌଣସି ପରୀକ୍ଷା ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି। ଟେଷ୍ଟ ସରିଲେ ରିପୋର୍ଟ ପାଇଁ ଦିନ ତମାମ ଅପେକ୍ଷା କରିବାକୁ ପଡୁଛି। ରିପୋର୍ଟ କେତେବେଳେ ଆସିବ ଓ ଡାକ୍ତର କେତେବେଳେ ଦେଖିବେ ତାହାକୁ ଅପେକ୍ଷା କରି ରୋଗୀର ଦିନ ବିତୁଛି। ରୁନିଙ୍କ ଏହି ଅଭିଯୋଗ ଶୁଣିବା ପରେ ମୋବାଇଲ ନମ୍ବର ନେବା ସହ କିଭଳି ଏହାର ସମାଧାନ କରାଯିବ ସେନେଇ ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିବାକୁ କହିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ।

ଏସସିବି ପରେ ଶିଶୁଭବନକୁ ସରପ୍ରାଇଜ ଭିଜିଟ କରିଥିଲେ ବିଧାୟିକା। ଶିଶୁ ଭବନ ଏବେ ବି ପୁରୁଣା ସମସ୍ୟାରେ ଯୁଝି ହେଉଛି। କର୍ମଚାରୀଙ୍କ ଅଭାବ ନେଇ ବାରମ୍ବାର କହିବା ସତ୍ତ୍ବେ ଯେପରି କାହାର ନିଘା ନାହିଁ। ଶିଶୁଭବନର ନୂଆ ବିଲ୍ଡିଂ ପାଇଁ ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠିଥିଲେ ମଧ୍ୟ ଏଯାଏଁ ତାହା ପୂରା ହୋଇପାରିନି। ଟିକେଟ ପାଇଁ ଲମ୍ବା ଲାଇନ ଲାଗୁଥିବା ବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ବିଧାୟିକା।

ବିଧାନସଭାର ଷ୍ଟାଣ୍ଡିଂ କମିଟି ହସ୍ପିଟାଲକୁ ସରପ୍ରାଇଜ ଭିଜିଟ କରିବା କିଛି ନୂଆ କଥା ନୁହେଁ। କିନ୍ତୁ କମିଟିର ପରିଦର୍ଶନ ପରେ ମେଡିକାଲ ବ୍ୟବସ୍ଥାରେ କଣ ପରିବର୍ତ୍ତନ ଆସିବ ଓ ଲୋକ କେତେ ଉପକୃତ ହେବେ ତାହା ଦେଖିବା ବାକି ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe