କନକ ବ୍ୟୁରୋ : ସରକାର କା ମାଲ ଦରିଆ ମେ ଡାଲ। ପୂର୍ବ ସରକାରର କିଛି ଏଭଳି ଆଭିମୁଖ୍ୟ ଶିକ୍ଷା ବ୍ୟବସ୍ଥା ମଧ୍ୟକୁ ବି ଧସେଇ ପଶିଥିଲା । ଡିଜିଟାଲ ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କାର କମ୍ପ୍ୟୁଟର ସ୍କୁଲକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ କମ୍ପ୍ୟୁଟର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

Advertisment

ଏଥିସହ ଭିତ୍ତିଭୂମି ଅଭାବରୁ କେଉଁଠି ସ୍କୁଲର କୋଣରେ କମ୍ପ୍ୟୁଟର ଖତ ଖାଇଲାଣି ତ ପୁଣି କେଉଁଠି ଶିକ୍ଷକ ଅଭାବ ପାଇଁ ଅଚଳ ହୋଇପଡିଛି କମ୍ପ୍ୟୁଟର । ଯାହାର ବିକଳ ଚିତ୍ର କୋରାପୁଟରୁ ସାମ୍ନାକୁ ଆସିଥିଲା । ଠିକାଦାରଙ୍କୁ ପୋଶିବାକୁ କମ୍ପ୍ୟୁଟର କିଣାର ପ୍ରହସନ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା । କମ୍ପ୍ୟୁଟର ଯୋଗାଣାକୁ ଦୁର୍ନୀତିର ନୂଆ ଉତ୍ସ କରିଥିଲେ କିଛି ଠିକାଦାର । ପୂର୍ବ ସରକାରଙ୍କ ଏହି କେଳେଙ୍କାରୀର ଖବର କନକ ନ୍ୟୁଜରେ ପ୍ରସାରଣ ପରେ, ସତ ସାମନାକୁ ଆଣିବା ପାଇଁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ପ୍ରାଥମିକସ୍ତରରୁ ପିଲା କମ୍ପ୍ୟୁଟର ଶିଖିବେ, ଡିଜିଟାଲ ଦୁନିଆ ସହ ଆଗକୁ ବଢିବେ । କିଛି ଏଭଳି ଲକ୍ଷ୍ୟ ରଖି କୋରାପୁଟର ୯୫ଟି ବିଦ୍ୟାଳୟକୁ ପୂର୍ବ ସରକାର ଯୋଗାଇଥିଲେ କମ୍ପ୍ୟୁଟର । କିନ୍ତୁ ଏବେ ସ୍କୁଲରେ ଥିବା କମ୍ପ୍ୟୁଟରର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ବାସ କରିବେନି । କେଉଁଠି ବିଦ୍ୟୁତ ସଂଯୋଗ ନଥିବା ସ୍କୁଲକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ତ ପୁଣି କେଉଁଠି କମ୍ପ୍ୟୁଟର ଶିଖାଇବାକୁ ନାହାନ୍ତି ଶିକ୍ଷକ । କେବଳ ଲୋକ ଦେଖାଣିଆ ଭାବେ ଡିଜିଟାଲ ଶିକ୍ଷାର ଡିଣ୍ଡିମ ପିଟୁଥିଲେ ପୂର୍ବ ସରକାର । କିନ୍ତୁ ବାସ୍ତବରେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଥିଲେ ଛାତ୍ରଛାତ୍ରୀ ।

ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତିକୁ ପ୍ରଶୟ ଦେଇଥିଲେ ପୂର୍ବ ସରକାର । ଠିକାଦାରଙ୍କୁ ପୋଶିବାକୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥିଲେ । କିନ୍ତୁ ତତ୍କାଳୀନ ସରକାରର ଦୁର୍ନୀତି ପେଡ଼ି ଉପରୁ ମୋହନ ସରକାର କେବେ ପରଦା ହଟାଇବ ତାହା ଉପରେ ନଜର ରହିବ ।