କନକ ବ୍ୟୁରୋ : ଲୋକଙ୍କୁ ଠକିବା ପାଇଁ ସବୁବେଳେ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର୍ ଠକ । ପୂର୍ବରୁ ଲୋକଙ୍କୁ ହାଉସ୍ ଆରେଷ୍ଟ କରି ଟଙ୍କା ଲୁଟୁଥିଲେ । ଏହି ଚାଲ୍ ସାମ୍ନାକୁ ଆସିବା ପରେ ପୁଣି ନୂଆ ଜାଲ ବିଛାଉଛନ୍ତି ସାଇବର୍ ଲୁଟେରା । ଏଡିଟେଡ୍ ଫଟୋ ଦେଖାଇ ଲୋକଙ୍କଠୁ ଟଙ୍କା ଠକି ନେଉଛନ୍ତି ସାଇବର୍ ଲୁଟେରା । ପଶ୍ଚିମ ବଙ୍ଗର ଜଣେ ବ୍ୟକ୍ତିଙ୍କଠୁ ନୂଆ ଉପାୟରେ ଟଙ୍କା ଲୁଟିନେଇଛି ସାଇବର୍ ଲୁଟେରା ।
ଭିଡିଓ କଲରୁ ଆରମ୍ଭ ହୋଇଥିଲା ଠକେଇ...
ମିଡିଆ ରିପୋର୍ଟ ଅନୁସାରେ, ଦିନାପୁରର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନିକଟକୁ ଏକ ଅଜଣା ନମ୍ୱରରୁ ଭିଡିଓ କଲ୍ ଆସିଥିଲା । ଜଣେ ଯୁବତୀ ଏହି ଭିଡିଓ କଲ୍ କରିଥିଲେ । ବସ୍ ଏଇଠୁ ଆରମ୍ଭ ହୋଇଥିଲା ଠକେଇ ପ୍ରକ୍ରିୟା । ସରକାରୀ କର୍ମଚାରୀ ଜଣକ ସେହି ଅଜଣା ଯୁବତୀ ସହ କିଛି ସମୟ ପାଇଁ କଥା ହୋଇ ଫୋଟ୍ କାଟି ଦେଇଥିଲେ । ପରେ ପୁଣି ଯୁବତୀ ଜଣକ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଭିଡିଓ କଲ କରିଥିଲା । ଏବଂ ଏକ ଏଡିଟେଡ୍ ଫଟୋ ଦେଖାଇ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲା । ଟଙ୍କା ନଦେଲେ ଫଟୋକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାର ଧମକ ମଧ୍ୟ ଦେଇଥିଲା ।
ଫେକ୍ ପୋଲିସର କଲ୍ ଆସିଲା...
ବ୍ୟକ୍ତି ଜଣକ ଟଙ୍କା ନଦେବାକୁ ସାଇବର୍ ଲୁଟେରା ପୁଣି ଏକ ଜାଲ ବିଛାଇଥିଲା । ଏଥର କୌଣସି ଯୁବତୀ ନୁହେଁ, ଜଣେ ପୋଲିସ ଅଧିକାରୀଙ୍କର କଲ୍ ଆସିଥିଲା । ଆଉ ପୋଲିସ ଅଫିସର୍ ଜଣକ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ । ତୁମ ପାଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯାହା ସହ ଆପଣ ଭିଡିଓ କଲରେ କଥା ହେଉଥିଲେ । ଏବଂ ଯାହା ସହ ଆପଣଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ବି ରହିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ତାଙ୍କ ଚିକିତ୍ସା ପାଇଁ ଟଙ୍କା ନପଠାନ୍ତି ତେବେ ଆପଣଙ୍କୁ ତୁରନ୍ତ ଗିରଫ କରାଯିବ ।
ନକଲି ପୋଲିସର ଧମକ ଶୁଣି ବୟସ୍କ ବ୍ୟକ୍ତି ଜଣକ ଡରିଯାଇଥିଲେ । ଏବଂ ୬ଲକ୍ଷ ୫୦ ହଜାର ଟଙ୍କା ସାଇବର୍ ଠକ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଇଥିଲା । ଏବଂ ପରେ ଏ ବାବଦରେ ତାଙ୍କ ସ୍ତ୍ରୀଙ୍କୁ ସବୁ କଥା କହିଥିଲେ । ପରେ ତାଙ୍କ ସ୍ତ୍ରୀ ସାଇବର୍ ଥାନାରେ ଏକ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।