କନକ ବ୍ୟୁରୋ : କିଛି ବର୍ଷ ତଳେ ପାକିସ୍ତାନର ସୀମା ହାଇଦର ଓ ଭାରତର ସଚିନ ମୀନାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ଭାରତରୁ ନେପାଳ ଦେଇ ପାକିସ୍ତାନ ପର୍ୟ୍ୟନ୍ତ ଲମ୍ବିଥିଲା । ହେଲେ ଏବେ ପୁଣି ଥରେ ଉଭୟଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ସୀମା ଓ ସଚିନଙ୍କ ନାମରେ ୬୫୦ କୋଟି ଟଙ୍କାର ଆୟକର ଦୁର୍ନୀତି ହୋଇଛି । ଯାହାକୁ ଦେଖିବା ପରେ ଆୟକର ବିଭାଗ ବି ତାଜୁବ ହୋଇଯାଇଛି । ୬୫୦ କୋଟି ଟଙ୍କାର ନକଲି ଏହି ଆଇଟିସି ଘୋଟାଲାରେ ଏବେ ଇଡିର ଏଣ୍ଟ୍ରି ହୋଇଛି । ଯାହାକୁ ନେଇ ଇଡି ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ନକଲି ଇନପୁଟ୍ ଚେକସ କ୍ରେଡିଟ୍ ମାମଲାରେ ଦିଲ୍ଲୀ, ହରିଆଣା, ଅରୁଣାଚଳପ୍ରଦେଶ, ତାମିଲନାଡ଼ୁ ଓ ତେଲେଙ୍ଗାନା ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । 

Advertisment

ଯାଂଚ ଏଜେନ୍ସି ମୁତାବକ ଏହି କାର୍ୟ୍ୟାନୁଷ୍ଠାନ ସେହି ଅଭିଯୁକ୍ତ କମ୍ପାନି ମାନଙ୍କ ବିରୋଧରେ ହେଉଛି, ଯେଉଁ କମ୍ପାନିମାନେ ଭୂଲ ତରିକାରେ ନକଲି କମ୍ପାନି, ସେଲ କମ୍ପାନି କରି କାଗଜପତ୍ରରେ ଟ୍ୟାକ୍ସ ଚୋରି, ଅର୍ଥ ହେରଫେର  କରାଯାଇଛି । ଏହି ମାମଲାରେ ଚାଲିଥିବା ସର୍ଚ୍ଚ ଅପରେସନରେ ଯାଂଚ ଏଜେନ୍ସିକୁ ଅନେକ ପ୍ରମାଣ ମିଳିଛି ।

ଯାଂଚ ଏଜେନ୍ସି ଇଡିର ସୂଚନା ମୁତାବକ ପାଖାପାଖି ୬୫୦ କୋଟି ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଦୁର୍ନୀତିରେ ଅନେକ ହାୱଲା କାରବାରୀ, ନକଲି କମ୍ପାନିର ନିର୍ଦ୍ଦେଶକ  ଯାଂଚ ଏଜେନ୍ସିର ରାଡ଼ାରରେ ରହିଛନ୍ତି । ଏହି ବ୍ୟବସାୟୀମାନେ ବିନା କାରବାରରେ ସରକାରଙ୍କ ଠାରୁ ୬୫୦ କୋଟି ଟଙ୍କାର ଟ୍ୟାକ୍ସ ଲାଭ ଉଠାଇଛନ୍ତି ।

ଏହି ମାମଲାର ଯାଂଚ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ବିହାରର ଦରଭଙ୍ଗାରେ ରହୁଥିବା ଦୁଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଅରୁଣାଚଳ ପୁଲିସ ଗିରଫ କରିଛି । ସେମାନଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଦୁର୍ନୀତି ଅଭିଯୋଗ ରହିଛି । ଏହି ଦୁଇ ଅଭିଯୁକ୍ତ ସୀମା ହାଇଦର ଓ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ନାମରେ କାଗଜପତ୍ର ପ୍ରସ୍ତୁତ କରି ଦୁର୍ନୀତି କରିଛନ୍ତି । ଏହି କାଗଜପତ୍ରରେ ସୀମା ଓ ସଚିନଙ୍କ ଫଟୋ ଲଗାଇ ଏକ ନକଲି ଆଇଡିରୁ ଇନପୁଟ୍ ଟ୍ୟାକ୍ସ ଦୁର୍ନୀତି କରିଛନ୍ତି । ସୀମା ଓ ସଚିନଙ୍କ ନାମରେ ଏଭଳି ମାମଲା ଆସିବା ପରେ ଉଭୟଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଯଦିଓ ସୀମା ଓ ସଚିନଙ୍କ ପାଖରେ ଯାଂଚ ଏଜେନ୍ସି ପହଂଚିନାହିଁ, ଭବିଷ୍ୟତରେ ସେମାନଙ୍କୁ ଏହି ମାମଲାରେ ଜେରା କରାଯିବାର ଅନେକ ସମ୍ଭାବନା ରହିଛି ।