କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଜେପି ସରକାରରେ ମନ୍ତ୍ରୀ ଥିବା ବିଜୟ ଶାହଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ମଧ୍ୟପ୍ରଦେଶ ହାଇକୋର୍ଟ ବିଜୟ ଶାହଙ୍କୁ ଗିରଫ କରିବାକୁ ଯେଉଁ ନୋଟିସ ଜାରି କରିଥିଲେ ଶୀର୍ଷ ଅଦାଲତ ତାହା ଉପରେ ରୋକ୍ ଲଗାଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି କି, ମାମଲାର ଶୁଣାଣି ଯେତେବେଳେ ସୁପ୍ରିମକୋର୍ଟ କରୁଛନ୍ତି ତାହା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ । ଅସଭ୍ୟ, ବର୍ବର. ଅଶାଳୀନ ଓ ନିଜ ପଦବୀର ମର୍ଯ୍ୟାଦା  ହରାଇ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କ ଉପରେ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ସାରା ଦେଶ ଲଜ୍ଜା ଅନୁଭବ କରୁଛି । ଏହା ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅନେକ ଅଭିଯୋଗ ହୋଇଛି । ହାଇକୋର୍ଟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ମନ୍ତ୍ରୀ ବିଜୟ ଶାହ ସୁପ୍ରିମକୋର୍ଟ ପହଂଚିଥିଲେ । ଶୀର୍ଷ ଅଦାଲତ ଏବେ ତାଙ୍କ ଗିିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । 

Advertisment

ଆଜି ଶୀର୍ଷ ଅଦାଲତରେ ଏହି ମାମଲାର ଶୁଣାଣି କରି କୋର୍ଟ ବିଜୟ ଶାହଙ୍କ ଗିରଫଦାରୀ ରୋକ୍ ଉପରେ ଅନ୍ତରୀଣ ଆଦେଶକୁ ବୃଦ୍ଧି କରିଛନ୍ତି । ଏହାସହ ଶୀର୍ଷ ଆଦାଲତଙ୍କ ତରଫରୁ ୩ ଜଣ ଆଇପିଏସଙ୍କ ମାଧ୍ୟମରେ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ୨୧ ତାରିଖରୁ ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି । କମିଟି କହିଛି କି, କିଛି ପ୍ରମାଣ ଯୋଗାଡ କରାଯାଇଥିଲେ ବି ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ସେପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇମାସର ଦ୍ୱିତୀୟ ସପ୍ତାହରେ ହେବ ବୋଲି କୋର୍ଟ କହିଛନ୍ତି ।