କନକ ବ୍ୟୁରୋ: ସୁପ୍ରିମକୋର୍ଟ ବିଚାରପତି ଏଭଳି କିଛି କହିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଷ୍ଟିସ୍ ବିଭିି ନାଗରତ୍ନା ନିକଟରେ ଏକ ବୈଠକରେ କହିଛନ୍ତି, ମୋତେ ଯେବେ ଖରାଦିନ ଛୁଟିରେ ଦରମା ମିଳେ ତାକୁ ଗ୍ରହଣ କରିବାକୁ ମୋ ଅନ୍ତରାତ୍ମା ପାଇଁ ଭାରି କଷ୍ଟକର ହୁଏ । ଖରାଛୁଟି ସମୟର ଦରମା ଉଠାଇବା ସମୟରେ ମୋ ମନ ବି ମୋତେ ବାଧା ଦିଏ । ମଧ୍ୟପ୍ରଦେଶ ସରକାର ସେବାରୁ ବରଖାସ୍ତ କରିଥିବା ଏବଂ ପରେ ସୁପ୍ରିମକୋର୍ଟଙ୍କ ଦଖଲ ଯୋଗୁ ପୁନଃ କାମକୁ ଫେରିଥିବା ସିଭିଲ ଜଜଙ୍କୁ ପିଛିଲା ଦରମା ଦେବାକୁ ମନା କରି ଜଷ୍ଟିସ୍ ବିଭି ନାଗରତ୍ନା ଏହି ଟିପ୍ପଣୀ ଦେଇଛନ୍ତି ।

ଜଷ୍ଟିସ୍ ନାଗରତ୍ନା କହିଛନ୍ତି,  ତାଙ୍କ ଲାଗି ସମର ଭ୍ୟାକେସନ ସମୟରେ ଦରମା ଗ୍ରହଣ କରିବା ଭାରି କଷ୍ଟକର ହୋଇପଡେ  । କାରଣ ଏହି ସମୟରେ କୋର୍ଟ ଛୁଟି ରହେ । କୌଣସି ବିଚାରପତି ଶୁଣାଣି ପାଇଁ କୋର୍ଟକୁ ଆସନ୍ତି ନାହିଁ ବରଂ ଛୁଟିରେ ଘରେ ରୁହନ୍ତି । କିନ୍ତୁ ତାଙ୍କୁ ଯେତିକି ଦରମା ମିଳିବା କଥା ତାହା ମିଳେ । ଯାହା ପାଇଁ ତାଙ୍କ ଅନ୍ତରାତ୍ମା ତାଙ୍କୁ ବାଧା ଦିଏ । ତେବେ  ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସିଭିଲ ଜଜଙ୍କୁ ମଧ୍ୟପ୍ରଦେଶ ସରକାର ଚାକିରିରୁ ନିଲମ୍ବନ କରାଦେଇଥିଲେ । କିନ୍ତୁ ପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କୁ ପୁନଃନିଯୁକ୍ତିି ମିଳିଥିଲା । ହେଲେ ନିଯୁକ୍ତି ମିଳିବା ପରେ ସିଭିଲ ଜଜ୍ ନିଜ ନିଲମ୍ବନ ସମୟର ଦରମା ଓ ଅନ୍ୟ ଭତ୍ତା ପାଇଁ ଦାବି କରି ମାମଲା ଦାଏର କରିଥିଲେ, ଯାହାର ବିଚାର କରିଥିଲେ ଜଷ୍ଟିସ୍ ନାଗରତ୍ନନ୍ । ଏବଂ ନିଜ ଅନୁଭୂତିକୁ କହିବା ପରେ ଏହି ମାମଲାକୁ ଖାରଜ କରିଥିଲେ । 

ଣନ୍ତି ଯେ ଯେଉଁମାନେ ପୁନଃ ଅବସ୍ଥାପିତ ହେଉଛନ୍ତି ସେମାନେ ଶେଷ ଦରମା ଆଶା କରିପାରିବେ ନାହିଁ । ଯେତେବେଳେ ସେ ବିଚାରପତି ଭାବରେ କାମ କରିନଥିଲେ, ଆମେ ତାଙ୍କୁ ପୂର୍ବ ଦରମା ଦେଇପାରିବୁ ନାହିଁ । ଏହାପରେ ସୁପ୍ରିମ୍ କୋର୍ଟ ୪ ଜଣ ବିଚାରପତିଙ୍କୁ ଯଥାଶୀଘ୍ର କାର୍ୟ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଭି ନାଗରତ୍ନା ୧୯୬୨ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଷ୍ଟିସ୍ ଇଏସ୍ ଭେଙ୍କଟରାମାୟା ୧୯ ଜୁନ୍ ୧୯୮୯ରୁ ଡିସେମ୍ବର ୧୭, ୧୯୮୯ ପର୍ୟ୍ୟନ୍ତ ଭାରତର ୧୯ତମ ପ୍ରଧାନ ବିଚାରପତି ଭାବେ କାର୍ୟ୍ୟ କରିଥିଲେ।

ଜଷ୍ଟିସ ବିଭି ନାଗରତ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲଏଲବି ଶେଷ କରିବା ପରେ ୧୯୮୭ ୨୮ ଅକ୍ଟୋବରରେ ବେଙ୍ଗାଲୁରୁରେ ଜଣେ ଓକିଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୮ ଫେବ୍ରୁଆରୀ ୧୮ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୦ ଫେବ୍ରୁଆରୀ ୧୭ରେ ସ୍ଥାୟୀ ବିଚାରପତି ହୋଇଥିଲେ।

୨୦୨୧ ମସିହାରେ ସୁପ୍ରିମକୋର୍ଟ କଲେଜିୟମ୍ କୋର୍ଟରେ ଖାଲି ପଡ଼ିଥିବା ପଦବୀ ପାଇଁ ୯ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ପରେ ସେଥିରେ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ନାମ ମଧ୍ୟ ସାମିଲ ହୋଇଥିଲା। ଏହାପରେ ବିଭି ନାଗରତ୍ନା ସୁପ୍ରିମ୍ କୋର୍ଟର ବିଚାରପତି ହୋଇଥିଲେ। ତେବେ ଦରମାକୁ ନେଇ ନାଗରତ୍ନନଙ୍କ ମନ୍ତବ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି ।