Advertisment

କନକ ବ୍ୟୁରୋ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ଆଣିଛି ବଡ଼ ଖବର । ଆପଣଙ୍କର ଯଦି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଅଛି, ଆଉ ଆପଣ ଏସବିଆଇର ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏହି ଖବର ବେଶ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ଏଟିଏମ୍ କାର୍ଡ ବ୍ୟବହାର ନିୟମରେ ବଡ଼ ପରିବର୍ତ୍ତନ କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜର ଏଟିଏମ୍ ଟ୍ରାଞ୍ଜାକ୍ସନ ଫି ଆଉ ଏହାର ଫ୍ରି ୟୁଜ୍ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ଏସବିଆଇରୁ ଅତିରିକ୍ତ କାରବାର ପାଇଁ ୨୧ ଟଙ୍କା ସହିତ ଜିଏସଟି ଚାର୍ଜ କରୁଥିଲା । କିନ୍ତୁ ନିୟମ ପରିବର୍ତ୍ତନ କରିବା ପରେ, ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ସର୍ବାଧିକ ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।

ଏସବିଆଇର ନୂଆ ନିୟମ ଅନୁସାରେ, ସେଭିଂ ଆକାଉଣ୍ଟରେ ଆଭରେଜ୍ ମନ୍ଥଲି ବାଲାନ୍ସ ଅନୁସାରେ ଏଟିଏମ୍ ଫ୍ରି ଟ୍ରାଞ୍ଜାକ୍ସନ ମିଳିବ । ମେଟ୍ରୋ ହେଉ କିମ୍ବା ଅନ୍ୟ ସହର, ସବୁ ଆକାଉଣ୍ଟଧାରୀଙ୍କୁ ଏସବିଆଇ ଏଟିଏମରୁ ମାଗଣା ୧୦ ଥର ଟ୍ରାଞ୍ଜାକ୍ସନ ମିଳିବ । ସେହିପରି ଅନ୍ୟ ଏଟିଏମରୁ ଏସବିଆଇର ଗ୍ରାହକମାନେ ମାଗଣାରେ ୫ ଥର ଟ୍ରାଞ୍ଜାକ୍ସନ କରିପାରିବେ । ଯଦି ଏହି ଲିମିଟ୍ କ୍ରସ୍ ହୁଏ, ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ ।

ଯଦି ଆପଣଙ୍କ ଏସବିଆଇ ଆକାଉଣ୍ଟରେ ହାରାହାରି ମାସିକ ରାଶି (AMB) ୨୫ରୁ ୫୦ ହଜାର ଭିତରେ ରହୁଛି, ତେବେ ଆପଣଙ୍କୁ ଅତିରିକ୍ତ ୫ଟି ଅଧିକ ଟ୍ରାଞ୍ଜାକ୍ସନ ମିଳିବ । ସେହିପରି ଯେଉଁ ଗ୍ରାହକମାନଙ୍କର ହାରାହାରି ମାସିକ ରାଶି ୫୦ ହଜାରରୁ ଲକ୍ଷେ ଟଙ୍କା ଭିତରେ ରହିଛି, ସେମାନଙ୍କୁ ଆଉ ୫ଟି ଅତିରିକ୍ତ କାରବାର କରିବାର ସୁଯୋଗ ମିଳିବ । ତା ସହିତ ଯେଉଁ ଏସବିଆଇ ୟୁଜର୍ସଙ୍କ ହାରାହାରି ମାସିକ ରାଶି ଲକ୍ଷେ ଟଙ୍କାରୁ ଅଧିକ ସେମାନେ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନର ସୁବିଧା ଉଠାଇପାରିବେ ।

ଏସବିଆଇ ବାଲାନ୍ସ ଇନକ୍ୱାରୀ, ମିନି ଷ୍ଟେଟମେଣ୍ଟ ଭଳି ସେବା ପାଇଁ କୌଣସି ଚାର୍ଜ କରିନଥାଏ । ହେଲେ ଯଦି ଆପଣ ଏହି ସବୁ ସେବା ଅନ୍ୟ ଏଟିଏମରୁ ଉଠାଉଛନ୍ତି, ତେବେ ଆପଣଙ୍କୁ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦ ଟଙ୍କା ସହିତ ଜିଏସଟି ଦେବାକୁ ପଡିବ । ଏହାସହ ଟଙ୍କା ନଥିବାରୁ ଯଦି ଆପଣଙ୍କର ଟ୍ରାଞ୍ଜାକ୍ସନ ଫେଲ୍ ହେଉଛି, ତେବେ ଏଥିପାଇଁ ଜରିମାନା ବାବଦରେ ୨୦ ଟଙ୍କା ଚାର୍ଜ କରିବ ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ନୂଆ ନିୟମ ଆସନ୍ତା ମେ ମାସ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଯାହାକି ଏସବିଆଇର ପ୍ରତ୍ୟେକ ଆକାଉଣ୍ଟଧାରୀ ଜାଣି ରଖିବା ଉଚିତ୍ ।