ଜମାକାରୀଙ୍କ ଟଙ୍କା ଉଠାଇନେଲେ ଏସବିଆଇ ଅଧିକାରୀ ; ଲୋକଙ୍କ ଆଖିରୁ ଝରୁଛି ଲୁହ

ଜମାକାରୀଙ୍କ ବିଶ୍ବାସରେ ବିଷ  ଆଙ୍ଗୁଳି ଛାପ ନେଇ ଶତାଧିକ ଜମାକାରୀଙ୍କ ଟଙ୍କା ଉଠାଇ ନେଇଗଲେ ଷ୍ଟେଟବ୍ୟାଙ୍କ ସିଏସପି ପରିଚାଳକ  । ଲୋକଙ୍କ ଆଖିରୁ ଶୁଖୁନି ଲୁହ,  କୁଚିଣ୍ଡା କବରୀବାହାଲରୁ ଆସିଲା ସାଂଘାତିକ ଅଭିଯୋଗବ୍ୟାଙ୍କ ମ୍ୟାନେଜରଙ୍କ ଆଶ୍ବାସନା ସତ୍ବେ ଟଙ୍କା ମିଳିବା ନେଇ ସନ୍ଦେହ 

SBI

SBI Photograph: (KanakNews)

କନକ ବ୍ୟୁରୋ: ଠକିଦେଲା ବ୍ୟାଙ୍କ। ଜମାକାରୀଙ୍କ ବିଶ୍ବାସରେ ବିଷ। ଟଙ୍କା ସଞ୍ଚୟ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ବ୍ୟାଙ୍କ । କିନ୍ତୁ ଏହି ବ୍ୟାଙ୍କ ଯଦି ଟଙ୍କା ଲୁଟ କରେ ତେବେ ଜମାକାରୀ ଭରସା କରିବେ କାହାକୁ । ସମ୍ବଲପୁର କୁଚିଣ୍ଡାରୁ ଏଭଳି ଏକ ଲୁଟ୍ ସାମ୍ନାକୁ ଆସିବା ପରେ ବ୍ୟାଙ୍କ ଉପରୁ ଲୋକଙ୍କ ଭରସା ଭାଙ୍ଗିବାରେ ଲାଗିଛି । ଦେଖିବା ଏହି ରିପୋର୍ଟ।

ଭାଙ୍ଗିଯାଇଛି ଲୋକଙ୍କ ଭରଷା । ଶୂନ୍ୟ ହୋଇଯାଇଛି ହାତ । ମୂଲ ଲାଗି, ପରିଶ୍ରମ କରି ଭବିଷ୍ୟତ ପାଇଁ ଯେଉଁ ଅର୍ଥ ସଞ୍ଚିଥିଲେ ଜମାକାରୀ ତାହା ହରିଲୁଟ୍‌ ହୋଇଛି । ଏବେ କର୍ମକୁ ଆଦରି ନିସହାୟ ଭାବେ ବ୍ୟାଙ୍କ ଆଗରେ ଲୁହ ଗଡ଼ାଉଛନ୍ତି ଠକାମୀର ଶିକାର ହୋଇଥିବା ଶହଶହ ଲୋକ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା କବରୀବାହାଲ ସିଏସପିରେ ହୋଇଛି ଏପରି ମହାଦୁର୍ନୀତି। ବିଶ୍ବାସରେ ବିଷ ଦେଇ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଛନ୍ତି କର୍ମଚାରୀ । ଆଉ ଅଭିଯୋଗ କଲେ ଦେଖାଉଛନ୍ତି ନାଲି ଆଖି ।

ଲୋକଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳରେ ଖୋଲିଛି ସିଏସପି ବ୍ୟାଙ୍କ । ଯାହାଫଳରେ ଗାଁ ଲୋକଙ୍କୁ ଟଙ୍କା ନେଣଦେଣ ପାଇଁ ଆଉ ସହର ଯିବାକୁ ପଡ଼ିବନି । କିନ୍ତୁ କବରୀବାହାଲ ସିଏସପିରେ ଚଞ୍ଚକତା କରି ଟଙ୍କା ଲୁଟ୍‌ କରିଛନ୍ତି ଶାଖା ପରିଚାଳକ ସତ୍ୟନାରାୟଣ ପୃସେଠ । ଜମାକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବା ସହ ସେମାନଙ୍କୁ ଧରାଇଛନ୍ତି ହାତଲେଖା ପାସବୁକ୍‌ । ଘଟଣା ଜଣାପଡ଼ିବା ପରେ ଏହି ଶାଖାରେ ତାଲା ପକାଇଛନ୍ତି କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଅଧିକାରୀ । କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ଏନେଇ ମହୁଲପାଲି ଥାନାରେ ଏତଲା ମଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe