କନକ ବ୍ୟୁରୋ: ଠକିଦେଲା ବ୍ୟାଙ୍କ। ଜମାକାରୀଙ୍କ ବିଶ୍ବାସରେ ବିଷ। ଟଙ୍କା ସଞ୍ଚୟ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ବ୍ୟାଙ୍କ । କିନ୍ତୁ ଏହି ବ୍ୟାଙ୍କ ଯଦି ଟଙ୍କା ଲୁଟ କରେ ତେବେ ଜମାକାରୀ ଭରସା କରିବେ କାହାକୁ । ସମ୍ବଲପୁର କୁଚିଣ୍ଡାରୁ ଏଭଳି ଏକ ଲୁଟ୍ ସାମ୍ନାକୁ ଆସିବା ପରେ ବ୍ୟାଙ୍କ ଉପରୁ ଲୋକଙ୍କ ଭରସା ଭାଙ୍ଗିବାରେ ଲାଗିଛି । ଦେଖିବା ଏହି ରିପୋର୍ଟ।
ଭାଙ୍ଗିଯାଇଛି ଲୋକଙ୍କ ଭରଷା । ଶୂନ୍ୟ ହୋଇଯାଇଛି ହାତ । ମୂଲ ଲାଗି, ପରିଶ୍ରମ କରି ଭବିଷ୍ୟତ ପାଇଁ ଯେଉଁ ଅର୍ଥ ସଞ୍ଚିଥିଲେ ଜମାକାରୀ ତାହା ହରିଲୁଟ୍ ହୋଇଛି । ଏବେ କର୍ମକୁ ଆଦରି ନିସହାୟ ଭାବେ ବ୍ୟାଙ୍କ ଆଗରେ ଲୁହ ଗଡ଼ାଉଛନ୍ତି ଠକାମୀର ଶିକାର ହୋଇଥିବା ଶହଶହ ଲୋକ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା କବରୀବାହାଲ ସିଏସପିରେ ହୋଇଛି ଏପରି ମହାଦୁର୍ନୀତି। ବିଶ୍ବାସରେ ବିଷ ଦେଇ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଛନ୍ତି କର୍ମଚାରୀ । ଆଉ ଅଭିଯୋଗ କଲେ ଦେଖାଉଛନ୍ତି ନାଲି ଆଖି ।
ଲୋକଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳରେ ଖୋଲିଛି ସିଏସପି ବ୍ୟାଙ୍କ । ଯାହାଫଳରେ ଗାଁ ଲୋକଙ୍କୁ ଟଙ୍କା ନେଣଦେଣ ପାଇଁ ଆଉ ସହର ଯିବାକୁ ପଡ଼ିବନି । କିନ୍ତୁ କବରୀବାହାଲ ସିଏସପିରେ ଚଞ୍ଚକତା କରି ଟଙ୍କା ଲୁଟ୍ କରିଛନ୍ତି ଶାଖା ପରିଚାଳକ ସତ୍ୟନାରାୟଣ ପୃସେଠ । ଜମାକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବା ସହ ସେମାନଙ୍କୁ ଧରାଇଛନ୍ତି ହାତଲେଖା ପାସବୁକ୍ । ଘଟଣା ଜଣାପଡ଼ିବା ପରେ ଏହି ଶାଖାରେ ତାଲା ପକାଇଛନ୍ତି କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଅଧିକାରୀ । କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ଏନେଇ ମହୁଲପାଲି ଥାନାରେ ଏତଲା ମଧ୍ୟ ହୋଇଛି।