କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଆଜି ଶିବ ଯୋଗ ଏବଂ ରବି ଯୋଗର ଏକ ଅତ୍ୟନ୍ତ ଶୁଭ ସଂଯୋଗ ସୃଷ୍ଟି ହେଉଛି । ଏହି ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ବିନାୟକ ଚତୁର୍ଥୀ ମଧ୍ୟ ପଡୁଛି । ତେବେ, ଏହି ଦିନ ଭଦ୍ରା କାଳ ମଧ୍ୟ ରହିବ, ତେଣୁ ପୂଜା ଓ ଜଳାଭିଷେକ ପାଇଁ ଶୁଭ ମୁହୂର୍ତ୍ତ ଜାଣିବା ନିତାନ୍ତ ଆବଶ୍ୟକ । ସକାଳ ୧୦ଟା ୫୭ ମିନିଟରୁ ରାତି ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭଦ୍ରା କାଳ ରହିବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହା ସହିତ ସକାଳ ୦୭ଟା ୨୨ ମିନିଟରୁ ୦୯ଟା ୦୪ ମିନିଟ୍ ପର୍ଯ୍ୟନ୍ତ ରାହୁକାଳ ମଧ୍ୟ ରହିବ ।
ତେଣୁ ଭକ୍ତମାନଙ୍କ ପାଇଁ ଭଦ୍ରା ଓ ରାହୁକାଳକୁ ବାଦ୍ ଦେଇ ପୂଜାର୍ଚ୍ଚନା ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହେଉଛି:
ପ୍ରାତଃକାଳୀନ ଶୁଭ ମୁହୂର୍ତ୍ତ: ସକାଳ ୦୯ଟା ୦୫ ମିନିଟରୁ ୧୦ଟା ୫୬ ମିନିଟ୍ ପର୍ଯ୍ୟନ୍ତ ।
ଅଭିଜିତ ମୁହୂର୍ତ୍ତ: ଦିବା ୧୨ଟା ୦୦ ମିନିଟରୁ ୧୨ଟା ୫୫ ମିନିଟ୍ ପର୍ଯ୍ୟନ୍ତ ।
ଏହି ସମୟ ମଧ୍ୟରେ ଭଗବାନ ଶିବଙ୍କର ଜଳାଭିଷେକ, ରୁଦ୍ରାଭିଷେକ ଏବଂ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଉତ୍ତମ ଯୋଗ ସୃଷ୍ଟି ହେଉଥିବାରୁ ଶିବ ଭକ୍ତଙ୍କ ଗହଳି ଲାଗିଛି ଶୈବ ପୀଠରେ । ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି ଗହଳି।
ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ଆଜି କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପିଠରେ ଜଳାଭିଷେକ କରୁଛନ୍ତି । ଜଳାଭିଷେକରେ ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । କୁହାଯାଏ ମାହାଦେବଙ୍କ ପାଖକୁ ପାଣିଭାର ନେଇ ଯିବାକୁ ଅନେକ ନିତିନିୟମ ମାନିବାକୁ ପଡିଥାଏ । ବହୁତ ନିଷ୍ଠାର ସହ ରହିବାକୁ ପଡିଥାଏ।
ଆସନ୍ତୁ ଜାଣିବା କାଉଡ଼ିଆ ଯାତ୍ରାର ନିୟମ
କାଉଡ଼ି ଯାତ୍ରା ଏକ କଠିନ ବ୍ରତ ଏବଂ ଏଥିପାଇଁ କିଛି ନିୟମ ପାଳନ କରିବାକୁ ପଡିଥାଏ । ପ୍ରଥମତଃ ପାଣି ଭାର ନେଇ ଯାଉଥିବା କାଉଡ଼ିଆମାନେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି । ମଦ୍ୟପାନ, ତମାଖୁ ଏବଂ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ସମ୍ପୂର୍ଣ୍ଣ ବାରଣ । ଭକ୍ତ ଏହି କଠିନ ଯାତ୍ରା ଖାଲି ପାଦରେ ସମ୍ପୂର୍ଣ୍ଣ କରନ୍ତି, ଯାହା ସେମାନଙ୍କର ଅତୁଟ ଭକ୍ତି ଓ ସମର୍ପଣର ପ୍ରତୀକ । କାଉଡ଼ିଆମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି, ଯାହା ତ୍ୟାଗ ଏବଂ ସନ୍ୟାସର ପ୍ରତୀକ । କାନ୍ଧରେ ନେଇଥିବା ପାଣି ଭାରକୁ ଭୂମିରେ ସ୍ପର୍ଶ କରାଯାଏ ନାହିଁ । ବିଶ୍ରାମ ନେବା ସମୟରେ ଏହାକୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡରେ ରଖାଯାଏ । ଯାତ୍ରା ସମୟରେ କାଉଡ଼ିଆମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ଶୁଦ୍ଧପୂତ ଭାବରେ ରୁହନ୍ତି । ଯାତ୍ରା ସମୟରେ ଭକ୍ତମାନେ "ବୋଲ୍ ବମ୍" ଏବଂ "ହର ହର ମହାଦେବ" ଭଳି ଜୟକାର ଧ୍ୱନି ଦେଇ ଭଗବାନ ଶିବଙ୍କର ଭଜନ କୀର୍ତ୍ତନ କରିଥାନ୍ତି । ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଭକ୍ତି, ସହିଷ୍ଣୁତା ଏବଂ ସାମୂହିକତାର ଏକ ଅନନ୍ୟ ଉଦାହରଣ ।
କାଉଡିଆ ଯାତ୍ରାକୁ ନେଇ ଅନେକ ପୌରାଣିକ ପରମ୍ପରା ରହିଛି । ସେଥିମଧ୍ୟରୁ ଏକ ପୌରାଣିକା ମାନ୍ୟତା ଅନୁସାରେ ସର୍ବ ପ୍ରଥମେ ଭଗବାନ ପର୍ଶୁରାମ ଏହି କାଉଡିଆ ଯାତ୍ରା ଆରମ୍ଭ କରିଥିଲେ । କୁହାଯାଏ ଯେ ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ନିକଟସ୍ଥ ମହାଦେବ ମନ୍ଦିରରେ ଜଳ ଅର୍ପଣ କରିବା ପାଇଁ ଗର୍ଭମୁକ୍ତେଶ୍ୱରରୁ ଗଙ୍ଗା ଜଳ ଆଣିଥିଲେ । ସେଥିପାଇଁ ଆଜି ମଧ୍ୟ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ ଏହି ରାସ୍ତାରେ ଚାଲି ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତି । କହାଯାଏ ମାହାଦେବ ହେଉଛନ୍ତି କୋପେ ବର ତ ତପେ ବର । ସେ ରାଗି, ସେ ଶାନ୍ତି ଆଉ ସେ ସତ୍ୟ, ଶିବ, ସୁନ୍ଦର । ଭାରି ସରଳ ସେ ଦେବେ ଦେବ ମହାଦେବ । ସେ ମହାଯୋଗୀଙ୍କୁ ପୂଜା କଲେ କୋଟି କୋଟି ଜନ୍ମର ପାପା ନାସ ହୋଇଥାଏ ।