କନକ ବ୍ୟୁରୋ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ ଶ୍ରାବଣ । କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପିଠରେ ଜଳାଭିଷେକ କରିଥାନ୍ତି । ଏହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି ।
କାଉଡ଼ିଆ ଯାତ୍ରାର ନିୟମ
କାଉଡ଼ି ଯାତ୍ରା ଏକ କଠିନ ବ୍ରତ ଏବଂ ଏଥିପାଇଁ କିଛି ନିୟମ ପାଳନ କରିବାକୁ ପଡିଥାଏ । ପ୍ରଥମତଃ ପାଣି ଭାର ନେଇ ଯାଉଥିବା କାଉଡ଼ିଆମାନେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି । ମଦ୍ୟପାନ, ତମାଖୁ ଏବଂ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ସମ୍ପୂର୍ଣ୍ଣ ବାରଣ । ଭକ୍ତ ଏହି କଠିନ ଯାତ୍ରା ଖାଲି ପାଦରେ ସମ୍ପୂର୍ଣ୍ଣ କରନ୍ତି, ଯାହା ସେମାନଙ୍କର ଅତୁଟ ଭକ୍ତି ଓ ସମର୍ପଣର ପ୍ରତୀକ । କାଉଡ଼ିଆମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି, ଯାହା ତ୍ୟାଗ ଏବଂ ସନ୍ୟାସର ପ୍ରତୀକ । କାନ୍ଧରେ ନେଇଥିବା ପାଣି ଭାରକୁ ଭୂମିରେ ସ୍ପର୍ଶ କରାଯାଏ ନାହିଁ । ବିଶ୍ରାମ ନେବା ସମୟରେ ଏହାକୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡରେ ରଖାଯାଏ । ଯାତ୍ରା ସମୟରେ କାଉଡ଼ିଆମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ଶୁଦ୍ଧପୂତ ଭାବରେ ରୁହନ୍ତି । ଯାତ୍ରା ସମୟରେ ଭକ୍ତମାନେ "ବୋଲ୍ ବମ୍" ଏବଂ "ହର ହର ମହାଦେବ" ଭଳି ଜୟକାର ଧ୍ୱନି ଦେଇ ଭଗବାନ ଶିବଙ୍କର ଭଜନ କୀର୍ତ୍ତନ କରିଥାନ୍ତି । ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଭକ୍ତି, ସହିଷ୍ଣୁତା ଏବଂ ସାମୂହିକତାର ଏକ ଅନନ୍ୟ ଉଦାହରଣ ।