କନକ ବ୍ୟୁରୋ : କହିଥିଲେ ନିର୍ବାଚନ ପରେ ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା, ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ୍ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ମାସେ ପାର୍ ହୋଇଗଲାଣି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପୂରା ହେଲାନି ।
ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ହେବାର ପ୍ରଥମ ଦିନରୁ, ଆମ ଆଦମୀ ପାର୍ଟିର ରେଖା ଗୁପ୍ତା ସରକାରଙ୍କ ପ୍ରତି କଠୋର ମନୋଭାବ ରହିଛି । ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପରେ ଏବେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଗ୍ୟାରେଣ୍ଟି ଅର୍ଥାତ୍ ମହିଳା ସମୃଦ୍ଧି ଯୋଜନା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଅତି କମରେ ବିଜେପି ହୋଲିରେ ଗରିବ ଲୋକଙ୍କୁ ମାଗଣା ସିଲିଣ୍ଡର ଦେବାର ପ୍ରତିଶ୍ରୁତି ପୂରଣ କରିବା ଉଚିତ । ଦେଶର ପ୍ରଧାନମନ୍ତ୍ରୀଙ୍କ ବଚନ ବହୁତ ଗୁରୁତ୍ୱ ବହନ କରେ । କିନ୍ତୁ ପ୍ରଧାନମନ୍ତ୍ରୀ ଦେଇଥିବା ଗୋଟିଏ ବି ବଚନ ଏବେଯାଏଁ ପୂରା ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ମାର୍ଚ୍ଚ ୮ତାରିଖ ପୂର୍ବରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୫୦୦ ଟଙ୍କା ଆସିବା ଆରମ୍ଭ ହେବ । ଏବେ ସୁଦ୍ଧା କାହାରି ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନାହିଁ ।"
ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ତାରିଖ ଦେଇଥିଲେ
ସୌରଭ ଭରଦ୍ୱାଜ ଆହୁରି କହିଛନ୍ତି, "ଦିଲ୍ଲୀର ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଗ୍ୟାରେଣ୍ଟି ଥିଲା ୫୦୦ ଟଙ୍କାରେ ସିଲିଣ୍ଡର ଦେବା । ସେ ଏହା ମଧ୍ୟ କହିଥିଲେ ଯେ ଗରିବମାନଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । ଆଉ ୫ଦିନ ପରେ ହୋଲି ପର୍ବ । ଦୟାକରି ବିଜେପି ସରକାର ଏବେ ହୋଲି ଉପରେ କମିଟି ନବସାନ୍ତୁ । ଆଉ ଏହା ନକୁହନ୍ତୁ କି, ହୋଲିରେ ମାଗଣା ଗ୍ୟାସ୍ ଦେବା କଥା କମିଟି ନିଷ୍ପତ୍ତି ନେବ । ଦିଲ୍ଲୀବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ତାରିଖ ଦେଇଥିଲେ । ଏବେ ପୁଣି କାହିଁକି ତାରିଖ ପରେ ତାରିଖ ଆସୁଛି ।
ଦିଲ୍ଲୀ ମହିଳାଙ୍କ ପ୍ରତି ଧୋକା
ଦିଲ୍ଲୀର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅତିଶୀ ୯ମାର୍ଚ୍ଚରେ ମହିଳା ସମୃଦ୍ଧି ଯୋଜନାକୁ ନେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହିଳା ସମୃଦ୍ଧି ଯୋଜନା ଗ୍ୟାରେଣ୍ଟି କେବଳ ଏକ ସ୍ଲୋଗାନରେ ପରିଣତ ହୋଇଛି । ଟଙ୍କା ଦେବା ନାଁରେ ଦିଲ୍ଲୀ ମହିଳାଙ୍କୁ ଠକାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କୁ ମାର୍ଚ୍ଚ ୮ତାରିଖର ଗ୍ୟାରେଣ୍ଟି ଦେଇ ଭୁଲିଯାଇଛନ୍ତି ।