କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର, ବିହାର, ଓ ଗୋଆର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର  ଦେହାନ୍ତ ହୋଇଯାଇଛି । ଅଗଷ୍ଟ ୬ ତାରିଖରେ ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା । ସେ କିଛି ସମୟ ପାଇଁ ଓଡ଼ିଶାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଅଗଷ୍ଟ ୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ସତ୍ୟପାଲ ମଲ୍ଲିକ ବିଶେଷ କରି ବିଜେପିର ଜଣେ ନେତା ମଧ୍ୟ ଥିଲା । ବିଜେପି ଟିକେଟରୁ ସେ କେବେ ସାଂସଦ ଜିତିଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ବିଜେପିର କୌଣସି ନେତା ତାଙ୍କୁ ଶେଷ ଦର୍ଶନ କରିବାକୁ ଆସି ନଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସତ୍ୟପାଲ ମଲ୍ଲିକଙ୍କ ଜଣେ ସମର୍ଥକ ଜାତୀୟ ଗଣମାଧ୍ୟମକୁ କହିଥିଲେ କି, ତାଙ୍କ ଅନ୍ତିମ ସଂସ୍କାରରେ ନା କେହି ବିଜେପି ନେତା ସାମିଲ ହୋଇଥିଲେ ନା ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ମିଳିଥିଲା । କେବଳ ପ୍ରଧାନମନ୍ତ୍ରୀ ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶୋକ ପ୍ରକାଶ କରିଥିଲେ ।

Advertisment

ସତ୍ୟପାଲ ମଲ୍ଲିକ ୧୯୪୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪-୭୭ ପର୍ଯ୍ୟନ୍ତ ଜନତା ଦଳ ଟିକେଟରୁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୦-୮୯ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ୧୯୮୯-୯୧ ସେ ଜନତାଦଳ ଟିକେଟରୁ ଅଲ୍ଲିଗଡ଼ ଲୋକସଭା ଆସନରୁ ସାଂସଦ ଥିଲେ । 

ସତ୍ୟପାଲ ମଲ୍ଲିକ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଥିବା ବେଳେ ପୁଲୱାମା ଆକ୍ରମଣ ହୋଇଥିଲା । ଏହାର କିଛିଦିନ ପରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । କାର୍ଯ୍ୟକାଳ ସରିବା ପରେ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ କି ପୁଲୱାମା ଆକ୍ରମଣ ପରେ ସେ କେନ୍ଦ୍ର ସରକାରଙ୍କୁ ଏକ ହେଲିକପ୍ଟର ମାଗିଥଲେ । ଯେଉଁଥିରେ ଆହତ ସେନା ଯବାନଙ୍କୁ ମେଡିକାଲ ନେବାକୁ ଚାହୁଁଥିଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ସିଧା ସଳଖ ମନା କରିଦେଇଥିଲେ ବୋଲି ଗଣମାଧ୍ୟମରେ କହିଥିଲେ ସତ୍ୟପାଲ ମଲ୍ଲିକ । ଏହାସହ କିରୁ ହାଇଡ୍ରୋପାୱାର ପରିଯୋଜନାରେ ଦୁର୍ନୀତିକୁ ପର୍ଦ୍ଦାଫାସ କରିଥିଲେ । ଏହାକୁ ନେଇ ବିଜେପି ସହ ତାଙ୍କର ସମ୍ପର୍କ ଖରାପ ହୋଇଥିଲା ।