କନକ ବ୍ୟୁରୋ: ଚଳିତ ଅଲ୍ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଆରମ୍ଭରୁ ଭାରତର ୧ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଦାୟ ନେଇଛନ୍ତି । ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଯୋଡ଼ି ୨୩-୨୧, ୨୧-୧୨ରେ ମାଲେସିଆର ଆଗ୍ରାଓଁ ତାଇ ଓ ଖାଙ୍ଗ୍ ଖାଇ ଜିଙ୍କଠୁ ହାରିଯାଇଥିଲେ । ଏଥିସହ ୨୦୨୪ ବିଶ୍ବ କନିଷ୍ଠ ପ୍ରତିଯୋଗିତା ଜିତିଥିବା ୧୯ ବର୍ଷୀୟ ତାଇ ଓ ଜି’ ବରିଷ୍ଠ ବର୍ଗରେ ବଡ଼ ସଫଳତା ପାଇଛନ୍ତି । ଅଭିଜ୍ଞ ସାତ୍ତ୍ବିକ-ଚିରାଗ ପ୍ରଥମ ଗେମ୍ରେ ଏକଦା ୧୧-୬ରେ ଆଗୁଆ ଥିଲେ । ହେଲେ ତାଇ ଓ ଜି’ ଚମତ୍କାର ପ୍ରଦର୍ଶନ କରି ଲଗାତାର ୧୨ ପଏଣ୍ଟ କରାୟତ କରି ସ୍ଥିତି ୧୮-୧୬କୁ ଆଣିଥିଲେ ।
ଏହା ବି ପଢ଼ନ୍ତୁ: ୫ ଦିନ ଫସିରହିବା ପରେ ଫେରିଲା ଓ୍ବେଷ୍ଟ୍ଇଣ୍ଡିଜ୍ ଦଳ
ଏହାପରେ ସ୍ଥିତି ୨୧-୨୧ ଟାଇ ରହିବା ପରେ ମାଲେସିଆ ଖେଳାଳି ୨ ପଏଣ୍ଟ ନେଇ ପ୍ରଥମ ଗେମ୍ ଜିତ ନେଇଥିଲେ । ଦ୍ବିତୀୟ ଗେମ୍ରେ ସାତ୍ତ୍ବିକ-ଚିରଗା ବହୁ ପଛରେ ପଡ଼ି ହାରି ମ୍ୟାଚ୍ ହାତଛଡ଼ା କରିଥିଲେ । ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ କଡ଼ା ସଂଘର୍ଷ କରି ୧୫-୨୧, ୨୧-୧୫, ୧୮-୨୧ରେ ଜାପାନର ସାୟାକା ହିରୋତା ଓ ଆୟାକୋ ସାକୁରାମୋତୋଙ୍କଠୁ ହାରି ବିଦାୟ ନେଇଛନ୍ତି । ଏହି ପ୍ରତିଯୋଗିତାରେ ଏକକରେ ଭାରତର ଏକ ନମ୍ବର ଖେଳାଳି ଲକ୍ଷ୍ୟ ସେନ୍ଙ୍କ ସହ ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ତନିଶା କ୍ରାଷ୍ଟୋ ତିଷ୍ଠି ରହିଛନ୍ତି । ସେନ୍ ନିଜର ପ୍ରଥମ ମ୍ୟାଚ୍ରେ ଚୀନ୍ର ସି ୟୁକିଙ୍କୁ ୨୩-୨୧, ୧୯-୨୧, ୨୧-୧୭ରେ ଏବଂ କପିଳ ଓ ତନିଶା ୨୧-୧୭, ୨୧-୧୯ରେ ମାଲେସିଆର ହୁ ପାଙ୍ଗ ରନ୍ ଓ ଚେଙ୍ଗ ସି’ଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି ।
Follow Us