କନକ ବ୍ୟୁରୋ : ସାରା ଦେଶରେ ସାର ସଂକଟ । ଚାଷୀମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କେଉଁଠି ସାର ଅଭାବକୁ ଆଳ କରି ବେପାରୀମାନେ ଚଢା ଦରରେ ସାର ବିକ୍ରି କରୁଛନ୍ତି ତ କେଉଁଠି କଳାବଜାରରେ ବି ସାର ମିଳୁନି । ଏସବୁ ଭିତରେ ଓଡ଼ିଶା ମଧ୍ୟ ରହିଛି । ହେଲେ ମଧ୍ୟପ୍ରଦେଶରେ ଚାଷୀମାନେ ସାର ଅଭାବକୁ ପୂରଣ କରିବାକୁ ଏକ ନିଆରା ପ୍ରତିବାଦ କରିଛନ୍ତି । ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ସାରର ଅଭାବ ଓ କଳାବଜାରୀକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏହି ଗମ୍ଭୀର ସମସ୍ୟାକୁ ଉଜାଗର କରିବାକୁ କଂଗ୍ରେସ କିଷାନ ମୋର୍ଚ୍ଚା ତରଫରୁ ନେତା ଆଶୁତୋଷ ଦ୍ୱିବେଦୀ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନିକଟରେ ରକ୍ତରେ ଚିଠି ଲେଖି ପଠାଇଛନ୍ତି । ଯେଉଁ ଚିଠିରେ ସାରର କଳାବଜାରୀଠୁ ନେଇ ସାରର ଅଭାବ ସମ୍ପର୍କରେ ଅନେକ କଥା ଲେଖିଛନ୍ତି ।
ଏନେଇ କୃଷକ ନେତା ଆଶୁତୋଷ ଦ୍ୱିବେଦୀ ମଧ୍ୟ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ଆଶୁତୋଷ ସିରିଞ୍ଚ ମାଧ୍ୟମରେ ନିଜ ଦେହରୁ ରକ୍ତ ବାହାର କରି ଚିଠି ଲେଖୁଛନ୍ତି । ସେ କହିଛନ୍ତି କି, ଏହି ଚିଠି ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି, ସତାନ ଜିଲ୍ଲାରେ ଲାଗି ରହିଥିବା ସାର ଅଭାବ ଦୂର କରିବାକୁ ।
କେବଳ ସେତିକି ନୁହେଁ ଆଶୁତୋଷ କହିଛନ୍ତି ରାଜ୍ୟ ସରକାର ସାର ବିତରଣ ଓ ସାର ପ୍ରସ୍ତୁତରେ ବିଫଳ ହୋଇଛନ୍ତି । ଚାଷୀମାନେ ସରକାରୀ ସାର କେନ୍ଦ୍ରରେ ଦିନ ଦିନ ଧାଡିରେ ଠିଆ ହୋଇ ସାର ନପାଇ ଫେରୁଛନ୍ତି । ହେଲେ ପ୍ରଭାବଶାଳୀ ଲୋକମାନେ ଆରାମରେ ସାର ନେଇ ଘରକୁ ଯାଉଛନ୍ତି ।