କନକ ବ୍ୟୁରୋ : ଏକର ଏକର ଜମିରେ ଧାଡ଼ିଧାଡ଼ି ହୋଇ ଲାଗିଛି ଅମୃତଭଣ୍ଡା । ଗୋଟିଏ ଗୋଟିଏ ଗଛରେ ୧୫- ୨୦ କିଲୋ ଓଜନର ଅମୃତଭଣ୍ଡା ଫଳିଛି । ଦେଖିଲେ ଲୋଭ ଲାଗିଯାଉଛି । ଅମୃତଭଣ୍ଡା ଚାଷ କରି ଲାଭବାନ ହେଉଛନ୍ତି ରାୟଗଡ଼ା ମୁନିଗୁଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ସତୀଶ ରାଜୁ । ନିଜେ ରୋଜଗାର କରିବା ସହିତ ଅଞ୍ଚଳର କିଛି ଲୋକଙ୍କୁ ବି କାମ ଦେଇଛନ୍ତି । ସତୀଶ ହାଇଦ୍ରାବାଦରେ ଭଲ ଦରମାରେ ଚାକିରି କରୁଥିଲେ। ତେବେ ଚାଷ ପ୍ରତି ତାଙ୍କର ଆଗ୍ରହ ଥିଲା । ପରେ ଚାକିରି ଛାଡ଼ି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ହୁକୁମତୋଳା ନିକଟରେ କରିଛନ୍ତି ଅମୃତଭଣ୍ଡା ଚାଷ । ବାର୍ଷିକ ଏକର ପ୍ରତି ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଆୟ ହେଉଛି ।
ଅମୃତଭଣ୍ଡା ସହ ତରଭୁଜ, ଆତ ଓ ଜାମୁ ଭଳି ଫଳ ଚାଷ କରିଛନ୍ତି ସତୀଶ । ତାଙ୍କ ଫାର୍ମରେ ଉତ୍ପାଦିତ ଅମୃତଭଣ୍ଡା ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା ସମେତ ଛତିଶଗଡ଼ର ରାୟପୁରକୁ ବିକ୍ରି ପାଇଁ ପଠାଯାଉଛି । ବ୍ୟବସାୟୀମାନେ ମଧ୍ୟ ତାଙ୍କ ଫାର୍ମ ନିକଟକୁ ଆସି କିଣି ନେଉଛନ୍ତି ।
ଆଖପାଖ ଅଞ୍ଚଳର ଲୋକମାନେ ପୂର୍ବରୁ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଉଥିଲେ । ଏବେ ଗାଁ ନିକଟରେ କାମ ମିଳୁଥିବାରୁ ଖୁସି ଅଛନ୍ତି । ଶିକ୍ଷିତ ଯୁବକ ସତୀଶଙ୍କ ଏଭଳି ଚାଷ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ।