କନକ ବ୍ୟୁରୋ : ଅନାସ୍ଥା ନୋଟିସ ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ସରପଞ୍ଚ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ହୋଇଥିଲା । ଚଳିତ ମାସର ଆସନ୍ତା ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ହେବା ପାଇଁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ହୋଇଥିଲା । 

Advertisment

ସରପଞ୍ଚ ଉର୍ମିଳା ସେଠି ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ମନମୁଖି କାର୍ଯ୍ୟ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ତାଙ୍କ ସ୍ୱାମୀ ନିତିଦିନ ମଦ ପିଇ କାର୍ଯ୍ୟାଳୟରେ ସମସ୍ତଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗରେ ସଭ୍ୟମାନଙ୍କ ଦାବି କ୍ରମେ ପଦ୍ମପୁର ଉପ-ଜିଲ୍ଲାପାଳ ନୋଟିସ ଜାରି କରିଥିଲେ  ।

ତେବେ ସରପଞ୍ଚ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଥିବା କହି ଏହି ନୋଟିସକୁ କେନ୍ଦ୍ର କରି ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ ଅଭଯୋଗ କରିଛନ୍ତି । ତାଙ୍କୁ ପଦ୍ମପୁର ଚିକିତ୍ସାଳୟ ଅଣାଯାଇଥିବା ବେଳେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।