କନକ ବ୍ୟୁରୋ : ଆଜିର ସ୍ବାର୍ଥପର ଦୁନିଆରେ ଜଣେ ନିସ୍ବାର୍ଥପର ମଣିଷ। ଅନାଥ, ଅସହାୟ ମଣିଷର ସାହା-ଭରସା। ସେମିତି ଜଣେ ଦରଦି ବନ୍ଧୁ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା। ଅଭାବୀ ମଣିଷର ଭୋକିଲା ପେଟକୁ ଚିହ୍ନି ପାରନ୍ତି। ସେହି ଯନ୍ତ୍ରଣାକୁ ଦୂର କରିବା ପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି ମହିଳା ସରପଞ୍ଚ। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଡ୍ରମ ରଖିଛନ୍ତି ସରପଞ୍ଚ। ଯେଉଁଥିରେ ଲେଖା ହୋଇଛି ‘ମୁଠାଏ ଚାଉଳ’।
ଏହାର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତକୁ ରାସନ ନବାକୁ ଆସିଥିବା ହିତାଧିକାରୀ ସ୍ବଇଚ୍ଛାରେ ରାସନରୁ କିଛି ଚାଉଳ ଡ୍ରମରେ ଦାନ କରିବେ। ଆଉ ସମସ୍ତଙ୍କର ଏହି ଛୋଟିଆ ଉଦ୍ୟମରେ କିଛି ଗରିବ ଲୋକଙ୍କ ମୁହଁରେ ହସ ଫୁଟିବ। ସୁମି ନିଜେ ସେହି ଚାଉଳ ଡ୍ରମ ପାଖେ ଛିଡ଼ା ହୋଇ ଚାଉଳ ଦେଉଥିବା ଲୋକଙ୍କୁ ଧନ୍ୟବାଦ ସୂରୁପ ନମସ୍କାର କରିଥାନ୍ତି। ସରପଞ୍ଚ ସୁମିଙ୍କର ଏହି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଜଣ ଜନପ୍ରତିନିଧି ଏମିତି ହେବା ଉଚିତ୍ । ବର୍ତମାନ ସମୟରେ ମାଳମାଳ ଦୁର୍ନୀତିଖୋର ବାବୁ ଓ ନେତାଙ୍କ ଭିଡ଼ ଭିତରେ ବାରି ହୋଇପଡ଼େ ମହିଳା ସରପଞ୍ଚ ସୁମିଙ୍କ ଏହି ମହତ କାର୍ଯ୍ୟ ।