କନକ ବ୍ୟୁରୋ:  କ୍ରିକେଟ ଦୁନିଆରେ ଝଡ଼, ଭାରତୀୟ ଦଳର ଦୁଇ ବରିଷ୍ଠ କ୍ରିକେଟର ଓ ଦୁଇ ପୂର୍ବତନ ଖେଳାଳିଙ୍କ ନାଁରେ ସାଂଘାତିକ ଅଭିଯୋଗ । ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କ କ୍ୟାରିୟରର ୧୦ ବର୍ଷ ଦଳର କିଛି ବରିଷ୍ଠ ଖେଳାଳି ନଷ୍ଟ କରିଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ସଞ୍ଜୁ ସାମସନଙ୍କ ବାପାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ କ୍ରିକେଟରଙ୍କ ବାପା ଭାରତୀୟ ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ଏମାନେ ସମସ୍ତେ ମୋ ପୁଅର ୧୦ ବର୍ଷ ବର୍ବାଦ କରିଦେଇଛନ୍ତି।

Advertisment

ଚଳିତ ବର୍ଷ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳର ସଞ୍ଜୁ ସଦସ୍ୟ ଥିଲେ । ଏଥିରେ ଭାରତ ଚାମ୍ପିୟନ ହୋଇଥିଲେ ହେଁ ସଞ୍ଜୁ ସାମସନଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ଦିଆ ଯାଇ ନଥିଲା ।  କେବଳ ଏତିକି ନୁହେଁ  ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଥିଲା’ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । 

ଅନେକ ବର୍ଷ ସଂଘର୍ଷ କରିବା ପରେ ‘ଭାରତର ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ଓ ନୂଆ କୋଚ୍ ଗୌତମ ଗମ୍ଭୀର ସଞ୍ଜୁଙ୍କ ଉପରେ ଭରସା ଦେଖାଇଥିଲେ । ଯାହାର ଫଳସ୍ୱରୂପ ସଞ୍ଜୁ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ମାରି ରେକର୍ଡ ସୃଷ୍ଟି କରିଛନ୍ତି’ ବୋଲି ବାପା ବିଶ୍ବନାଥନ କହିଛନ୍ତି । ଏହା ପୂର୍ବରୁ ଯୁବରାଜ ସିଂଙ୍କ ଭଳି ଖେଳାଳିଙ୍କ କ୍ୟାରିୟର ବର୍ବାଦ କରିଦେଇଥିବା ନେଇ ଅଭିଯୋଗ ଆଣିଥିଲେ ବାପା ଯୋଗରାଜ ସିଂ ।