କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗର ଆଗାମୀ ସିଜିନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସବୁଠୁ ବଡ଼ ଖବର ସାମ୍ନାକୁ ଆସୁଛି ଯେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଦଳ ଛାଡ଼ିପାରନ୍ତି । ରିପୋର୍ଟ ଅନୁଯାୟୀ, ସେ ଚେନ୍ନାଇ ସୁପର କିଙ୍ଗସ୍ କିମ୍ବା କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇପାରନ୍ତି।
ଅନେକ ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ ସହିତ କିଛି ମତଭେଦକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କୁ ଓପନିଂ ପରିବର୍ତ୍ତେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ କୁହାଯିବା ଏବଂ ଅଧିନାୟକତ୍ୱକୁ ନେଇ କିଛି ନିଷ୍ପତ୍ତିକୁ ନେଇ ମଧ୍ୟ ସେ ଖୁସି ନଥିବା କୁହାଯାଉଛି । ଏହି କାରଣରୁ ସେ ଦଳ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି ।
ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ଉଭୟ ସଞ୍ଜୁଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହୀ ଅଛନ୍ତି । ସିଏସକେ ମହେନ୍ଦ୍ର ସିଂ ଧୋନିଙ୍କ ଉତ୍ତରାଧିକାରୀ ଭାବେ ସଞ୍ଜୁଙ୍କୁ ଦେଖୁଛି । ଖବର ଅନୁଯାୟୀ, ସଞ୍ଜୁଙ୍କ ସହ ସିଏସକେ ମ୍ୟାନେଜମେଣ୍ଟର ଆଲୋଚନା ମଧ୍ୟ ହୋଇଛି । ତେବେ ଟ୍ରେଡ୍କୁ ନେଇ କଥାବାର୍ତ୍ତା ଅଟକି ଯାଇଥିବା ଜଣାପଡିଛି, କାରଣ ଉଝକ କୌଣସି ଖେଳାଳିଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିବା ବେଳେ ରାଜସ୍ଥାନ କେବଳ କ୍ୟାସ୍ ଡିଲ୍ ପାଇଁ ରାଜି ନୁହେଁ ।
କେକେଆରକୁ ଜଣେ ଭଲ ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ର ଆବଶ୍ୟକତା ରହିଛି ଏବଂ ସେମାନେ ସଞ୍ଜୁଙ୍କୁ ଏକ ଉପଯୁକ୍ତ ବିକଳ୍ପ ଭାବେ ଦେଖୁଛନ୍ତି । ସଞ୍ଜୁଙ୍କୁ ଦଳରେ ସାମିଲ କରିବା ପାଇଁ କେକେଆର ଭେଙ୍କଟେଶ ଆୟରଙ୍କ ପରି ଖେଳାଳିଙ୍କୁ ରିଲିଜ୍ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ସଞ୍ଜୁ ସାମସନ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ସହିତ ଚୁକ୍ତିବଦ୍ଧ ଅଛନ୍ତି, ତେଣୁ ଦଳ ଛାଡିବାର ଚୂଡାନ୍ତ ନିଷ୍ପତ୍ତି ଫ୍ରାଞ୍ଚାଇଜ୍ ଉପରେ ନିର୍ଭର କରେ । ରାଜସ୍ଥାନ ଚାହିଲେ ତାଙ୍କୁ ଟ୍ରେଡ୍ କରିପାରିବ, ନିଲାମ ପାଇଁ ଛାଡିପାରିବ କିମ୍ବା ଦଳରେ ରଖିପାରିବ । ଯଦି ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡିବାକୁ ମନା କରେ, ତେବେ ତାଙ୍କୁ ଦଳରେ ରହିବାକୁ ପଡିବ । କିଛି ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ଏବେ ସଞ୍ଜୁଙ୍କୁ ଟ୍ରେଡ୍ ନକରିବାକୁ ନିଷ୍ପତ୍ତି ନେଇଛି ଏବଂ ସେ ଦଳର "ଅବିବାଦିତ ଅଧିନାୟକ" ରହିବେ ।
ଏହି ସବୁ ଚର୍ଚ୍ଚା ଭିତରେ ସଞ୍ଜୁ ସାମସନ ନିଜେ କୌଣସି ସ୍ପଷ୍ଟ ମନ୍ତବ୍ୟ ଦେଇନାହାଁନ୍ତି । ତେଣୁ, ବର୍ତ୍ତମାନ ପାଇଁ ଏହା କେବଳ ଏକ ଅନୁମାନ ଏବଂ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଆଗାମୀ ଦିନରେ ଏନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ସଞ୍ଜୁ ସାମସନ ଆଇପିଏଲ ଇତିହାସରେ ରାଜସ୍ଥାନର ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି । ସେ ରାଜସ୍ଥାନର ସର୍ବାଧିକ ରନ ସ୍କୋରର ଏବଂ ସବୁଠାରୁ ସଫଳ ଅଧିନାୟକ ମଧ୍ୟ । ସେ ଆଇପିଏଳରେ ମୋଟ ୧୭୬ ମ୍ୟାଚ ଖେଳି ୪ ହଜାର ୭୦୪ ରନ କରିଛନ୍ତି ।