କନକ ବ୍ୟୁରୋ: ଦିଲ୍ଲୀରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ସିନିୟର ଭୋଟରଙ୍କ ଭୋଟ୍ ହାତେଇବାକୁ ବଡ଼ ଗେମ୍ ଖେଳିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ସମସ୍ତ ବୟସ୍କଙ୍କ ପାଇଁ ‘ସଞ୍ଜିବନୀ ଯୋଜନା’ର ଘୋଷଣା କରିଛି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ନିଶୁଳ୍କ ମେଡିକାଲ ସେବା ଯୋଗାଇଦେବେ ଦିଲ୍ଲୀ ସରକାର ।
ତେବେ ରାଜନୈତିକ ମହଲରେ ଏବେ ଦିଲ୍ଲୀ ସରକାରର ଏହି ଯୋଜନାକୁ ନେଇ ଚର୍ଚ୍ଚା ବଢିଛି । କାହିଁକି ନା, ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯେଉଁଥିରେ ଆପକୁ ଟକ୍କର ଦେବ ବିଜେପି । ଗୋଟିଏ ପଟେ ବିଜେପି ଆୟୁଷ୍ମାନ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ଆପ୍ ଏବେ ସଞ୍ଜିବନୀ ଯୋଜନାର ଘୋଷଣା କରି ବିଜେପିକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ।
ଜାଣିରଖିବା ଉଚିତ୍ ଯେ, ଦିଲ୍ଲୀରେ ଏବେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହେଉନି । ଯାହାକୁ ନେଇ ଅନେକ ସମୟରେ ଆପ୍ ସରକାରକୁ ଟାର୍ଗେଟ କରିଥାଏ ବିଜେପି । ଅନ୍ୟପଟେ ଆପର କହିବା କଥା, ଆୟୁଷ୍ମାନ ଯୋଜନାଠୁ ଦିଲ୍ଲୀ ସରକାରର ନିଜର ହେଲଥ୍ ସ୍କିମ୍ ଭଲ ଅଟେ । ତେଣୁ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ କରାଯାଉନି ବୋଲି ଆପ୍ କହିଛି ।
ସଞ୍ଜିବନୀ ଯୋଜନା
- ଦିଲ୍ଲୀ ସରକାର ଦିଲ୍ଲୀର ବୟସ୍କ ଲୋକଙ୍କ ପାଇଁ ସଞ୍ଜିବନୀ ଯୋଜନାର ଘୋଷଣା କରିଛନ୍ତି
- ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ନିଶୁଳ୍କ ମେଡିକାଲ ସେବା ଯୋଗାଇଦେବେ ସରକାର
- ବୟସ୍କ ଲୋକଙ୍କ ମାଗଣାରେ ଚିକିତ୍ସା କରିବେ ଦିଲ୍ଲୀ ସରକାର
- ଏଥିପାଇଁ ଆପ୍ କାର୍ୟ୍ୟକର୍ତ୍ତା ଘର ଘର ବୁଲି ପଞ୍ଜୀକରଣ କରିବେ
- ସଞ୍ଜିବନୀ ଯୋଜନାର ଲାଭ ସବୁ ବର୍ଗର ଲୋକ ଉଠାଇପାରିବେ, ଏଥିରେ ଆୟ ସୀମା ରହିବ ନାହିଁ