କନକ ବ୍ୟୁରୋ : ଦେଶରେ କିଛି ଦିନ ହେବ ଭୋଟ ଚୋରିକୁ ନେଇ ରାଜନୀତି ବେଶ୍ ସରଗରମ ହେଉଛି । ପ୍ରଥମେ ଲୋକସଭାର ବିରୋଧୀଦଳ ନେତା ସାମ୍ବାଦିକ ସମ୍ମିଳନୀ କରି ଭୋଟ ଚୋରିର ପ୍ରମାଣ ଦେଇଥିଲେ । ଏହାପରେ ବିଜେପି ସାଂସଦ ଅନୁରାଗ ଠାକୁର ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଏହାକୁ ନିର୍ବାଚନ ଆୟୋଗ ସିଧା ସଳଖ ଖାରଜ କରିନଥିଲେ ବି ଗୋଲ ଗୋଲ କରି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ । ଏସବୁ ଭିତରେ ପୁଣି ଜଣେ ବିଜେପିର ବରିଷ୍ଠ ନେତା ତଥା ପୂର୍ବ ସାଂସଦ ସଂଜୀବ ବାଲିଆନ ସମାନ ଅଭିଯୋଗ ଆଣିଛନ୍ତି । କିଛିଦିନ ତଳେ କନଷ୍ଟିଚ୍ୟୁସନ କ୍ଲବ ନିର୍ବାଚନରେ ତାଙ୍କୁ ପରାଜିତ କରିବାକୁ ଭୋଟ ଚୋରି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । 

Advertisment

କନଷ୍ଟିଚ୍ୟୁସନ କ୍ଲବ ନିର୍ବାଚନରେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଢ଼ିଙ୍କର ବିଜୟ ହୋଇଛି । ହେଲେ ଭୋଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାକର ନାଁ ନେଉନି । ଏବେ ଏହି ନିର୍ବାଚନକୁ ନେଇ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଥିବା ଏକ ବଡ଼ ଦାବି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ଶୁକ୍ରବାର ଦିନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାର ଦେବା ଅବସରରେ କହିଛନ୍ତି କି, କନଷ୍ଟିଚ୍ୟୁସନ୍ କ୍ଲବ ନିର୍ବାଚନରେ ଭୋଟ ଚୋରି କରି ମୋତେ ପରାଜିତ କରାଯାଇଛି । କେବଳ ସେ କହିନାହାନ୍ତି ବରଂ ଭୋଟ ଚୋରିକୁ ନେଇ ଅନେକ ଯୁକ୍ତି ଉପସ୍ଥାପନ କରିଛନ୍ତି । 

ସଂଜୀବ ବାଲିଆନ କହିଛନ୍ତି , ପ୍ରଥମେ ତାଙ୍କ ଜଣାଗଲା ମୋଟ ୬୨୯ ଭୋଟ ପଡିଛି । ୧ ଘଣ୍ଟା ପରେ ୪୦ ଭୋଟ ବଢାଇଦିଆଗଲା । କଂଗ୍ରେସର ପୂର୍ବତନ ସାଂସଦ ବୃଜେନ୍ଦ୍ର ସିଂ ଓ ବିଏସପିର ପୂର୍ବ ସାଂସଦ ରାଜାରାମଙ୍କ ଭୋଟ ଅନ୍ୟ କେହି ଦେଇଛନ୍ତି । ଏହାସହ ମତଦାତା ସୂଚୀରେ କିଛି ମୃତ ସାଂସଦଙ୍କ ନାମ ମଧ୍ୟ ରହିଥିଲା । ହେଲେ ମୋତେ ଜଣାନାହିଁ ସେମାନଙ୍କ ଭୋଟ ପଡ଼ିଛି କି ନାହିଁ । ଏଣୁ ମୁଁ ନିଜେ ଦାବି କରୁଛି ସାରା ଦେଶରେ ଏସଆଇଆର ହେଉ । କନଷ୍ଟିଚ୍ୟୁସନ କ୍ଲବ ନିର୍ବାଚନ ପାର୍ଟି ସ୍ତରରେ ହେବା ଆବଶ୍ୟକ ଥିଲା, ହେଲେ କଂଗ୍ରେସ ଦଳର ଦୁଇ ସାଂସଦଙ୍କ ଉପରେ ଚାପ ପକାଇ ରାଜୀବ ପ୍ରତାପ ରୁଢୀଙ୍କୁ ଭୋଟ ଦିଆକରାଗଲା । 

କହିରଖୁ କି, କନଷ୍ଟିଚ୍ୟୁସନ କ୍ଲବ ନିର୍ବାଚନରେ ପ୍ରଥମଥର ପାଇଁ ଗୋଟିଏ ପାର୍ଟିରୁ ଦୁଇ ପ୍ରାର୍ଥୀ ହୋଇ ନଥିଲେ । ଏହା ପୂର୍ବରୁ ମଧ୍ୟ ରାମନାଥ କୋବିନ୍ଦ ଓ ବିଜୟ ଗୋଏଲଙ୍କ ଭଳି ନେତା ଗୋଟିଏ ପାର୍ଟିରୁ କନଷ୍ଟିଚ୍ୟୁସନ୍ କ୍ଲବ ଭୋଟ ଲଢି ପରାଜିତ ହୋଇଛନ୍ତି । ହେଲେ ଚଳିତ ଥର ନିର୍ବାଚନ ବେଶ୍ ଚର୍ଚ୍ଚାରେ ରହିଥିଲା, କାରଣ ଏହି ନିର୍ବାଚନରେ ସଂଜୀବ ବାଲିଆନଙ୍କୁ ସରକାରୀ ଦଳ ପ୍ରାର୍ଥୀ କରିଥିଲା । ହେଲେ ବିଜେପି ନେତା ରାଜୀବ ପ୍ରତାପ ରୁଢୀଙ୍କୁ ବିରୋଧୀ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଥିଲା ।